Odia News Portal

ରାଜଧାନୀର କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼

ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଜାଗା ଜାଗାରେ ଚେକିଂ ସହିତ କିଛିଦିନ ହେଲା ପୁରୁଣା ଅପରାଧୀମାନଙ୍କୁ ଖୋଜି ଖୋଜି ବାନ୍ଧୁଛି ପୁଲିସ। ମାତ୍ର ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ପୂଜା ପୂର୍ବ ରାତିରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ଏପରି ଘଟଣା ଘଟିଛି ବରମୁଣ୍ଡା ଅଞ୍ଚଳରେ। ସୋମବାର ରାତି ପ୍ରାୟ ୧୦ଟାରେ ବରମୁଣ୍ଡା ଶିବ ମନ୍ଦିର ନିକଟ କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ହଲକୁ ଲକ୍ଷ୍ୟ କରି ଗୋଟିଏ ବୋମା ଫିଙ୍ଗି ଫେରାର୍ ହୋଇଯାଇଛନ୍ତି। ଫଳରେ ହଲର ମୁଖ୍ୟ ଦ୍ୱାରରେ ଲାଗିଥିବା ଲୁହା କବାଟ ଭାଙ୍ଗି ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ବୋମାମାଡ଼ର କାରଣ ଜଣାପଡ଼ି ନାହିଁ ।
ସୂଚନାନୁସାରେ, ରାତି ପ୍ରାୟ ୧୦ଟାବେଳେ ହଠାତ୍ ଭୟଙ୍କର ଶବ୍ଦରେ ଶିବ ମନ୍ଦିର ଅଞ୍ଚଳ କମ୍ପି ଉଠିଥିଲା। କମ୍ୟୁନିଟି ହଲ୍ ନିକଟରୁ ଏହି ଭୟଙ୍କର ଶବ୍ଦ ଆସିଥିବାରୁ ମନ୍ଦିର ଛକରେ ଥିବା ଲୋକେ କିଛି ବଡ଼ ଏକ ଅଘଟଣ ଘଟିଲା ବୋଲି ଧରିନେଇଥିଲେ। କାରଣ ହଲରେ ଗାଁର ପିଲାମାନେ ବହୁ ସମୟରେ ଏକତ୍ର ହୋଇ ବିଭିନ୍ନ କାର‌୍ୟ୍ୟକ୍ରମ କରନ୍ତି। ତେଣୁ କିଛି ଲୋକ ଭୟରେ ଘରକୁ ପଳାଇଥିବାବେଳେ ଅନ୍ୟମାନେ ହଲ୍ ନିକଟକୁ ଘଟଣା ବାବଦରେ ଜାଣିବାକୁ ଯାଇଥିଲେ। କିନ୍ତୁ ସେତେବେଳକୁ ଘଟଣାସ୍ଥଳରେ କେହି ନଥିଲେ।