Odia News Portal

ବରଗଡ଼ ଧନୁଯାତ୍ରା ଆରମ୍ଭ ଏବେ କଂସ ମହାରାଜଙ୍କ ରାଜୁତି

ବରଗଡ଼: ଝଲସୁଛି ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚ । ଚାଲିଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆରମ୍ଭ ହୋଇଛି କଂସ ମହାରାଜଙ୍କ ରାଜୁତି । ଗତକାଲି ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଧନୁଯାତ୍ରା ଉଦଘାଟିତ ହୋଇଛି । ୧୧ ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ ।

ବରଗଡ଼ ସହର ପାଲଟିଛି ମଥୁରା ନଗରୀ ଓ ଅମ୍ବାପାଲି ଏବେ ଗୋପପୁର ଏବଂ ଜୀରା ନଈ ପାଲଟିଛି ଯମୁନା । ହାଟପଦା ପଡିଆରେ ରାଜ ଦରବାର ଓ ଲୋକ ମଣ୍ଡପ ପଡିଆରେ ରଙ୍ଗମହଲ ତିଆରି କରାଯାଇଛି । ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଏସବୁ ସ୍ଥାନରେ ପରିବେଷଣ କରାଯାଉଛି । ଧନୁଯାତ୍ରାରେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ୧୩୦ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରୁଛନ୍ତି । ଆକର୍ଷଣୀୟ ତୋରଣ ସହ ରଙ୍ଗୀନ୍‌ ଆଲୋକମାଳାରେ ଝଲସୁଛି ବରଗଡ଼ ସହର । ଗତକାଲି ସାଂସ୍କୃତିକ ଶୋଭାଯାତ୍ରା ସହିତ ଆରମ୍ଭ ହୋଇଥିଲା ଧନୁଯାତ୍ରା ମହୋତ୍ସବ । ଏଥିରେ ୨୦ଟି ସାଂସ୍କୃତିକ ଦଳ ଗାନ୍ଧୀ ଛକରୁ ବାହାରି ମା ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।