Odia News Portal

ପିପିଲିରୁ ୧ କୋଟି ଟଙ୍କାର ବାଉନ୍‌ସୁଗର ଜବତ,୫ ଗିରଫ

ପିଲି ଥାନା ଅନ୍ତର୍ଗତ କୌଶଲ୍ୟାଗଙ୍ଗ ଫାଣ୍ଡି ନିକଟସ୍ଥ ଉତ୍ତରା ରାମମନ୍ଦିର ପାଶ୍ୱର୍ରେ ଯାଇଥିବା କଣାସ ଶାଖା କେନାଲ ବନ୍ଧ ଉପରେ ୫ଜଣ ଯୁବକ ବ୍ରାଉନସୁଗର କିଣାବିକା ଯୋଜନା କରୁଥିବାବେଳେ ପିପିଲି ପୁଲିସ ହାତରେ ଧରାପଡ଼ିଛନ୍ତି । ପୁଲିସ ସେମାନଙ୍କଠାରୁ ୯୭୮ ଗ୍ରାମ ବାଉନସୁଗର ଜବତ କରିବା ସହିତ ଗୋଟିଏ ସ୍କୁଟି ଏବଂ ଗୋଟିଏ ମୋଟରସାଇକେଲକୁ ଜବତ କରିଛି । ଜବତ ବ୍ରାଉନ୍‌ସୁଗରର ବଜାରମୂଲ୍ୟ ୧କୋଟି ଟଙ୍କା ହେବ । ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଏନେଇ ପିପିଲି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ଯେ ଶନିବାର ଭୋର୍ ସମୟରେ ବ୍ରାଉନ୍‌ସୁଗର କାରବାର ସମ୍ପର୍କରେ ଖବରପାଇ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏବଂ କେତେକ ଫୋର୍ସ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲେ । ସେଠାରେ ଅଭିଯୁକ୍ତମାନେ ଏକତ୍ରିତ ହୋଇ ବ୍ରାଉନସୁଗର କାରବାର କରୁଥିବାବେଳେ ଧରାପଡ଼ିଥିଲେ । ପିପିଲି ତହସିଲଦାର ତଥା ମାଜିଷ୍ର୍ଟ୍ରେଟ୍ ପୁନମ ମହାପାତ୍ରଙ୍କ ଉପସ୍ଥିତିରେ ଅଭିଯୁକ୍ତମାନଙ୍କୁ ତଲାସୀ କରାଯାଇଥିଲ।

ତଲାସୀରୁ ମୁଖ୍ୟ ଅଭିଯୁକ୍ତ ମୁରାସିହ ଖାନ୍ ଓରଫ ଜୁମା (୩୨) ୫୫୦ ଗ୍ରାମ ଓ ଅଭିଯୁକ୍ତ ସେକ୍‌ସାଜତ ଅଲୀ (୨୪) ୪୨୮ ଗ୍ରାମ୍‌; ଏଭଳି ଉଭୟଙ୍କଠାରୁ ମୋଟ୍ ୯୭୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଏହାବ୍ୟତୀତ ଅଭିଯୁକ୍ତମାନଙ୍କଠାରୁ ନଗଦ ୩ ହଜାର ୫ ଶହଟଙ୍କା, ଗୋଟିଏ ପ୍ଲେଜର ସ୍କୁଟି (ଓଆର-୦୧ ଆର ୫୯୬୯) ଓ ଗୋଟିଏ ମୋଟର ସାଇକେଲ୍ (ଓଡି୩୩-୧ଓ୨୭୫) ଜବତ କରାଯାଇଛି । ତିନି ମୁଖ୍ୟକାର୍ପଟ୍‌ଦାରଙ୍କ ମଧ୍ୟରୁ ମୁରାସିଦ୍ ଖାଁ ଓରଫ ଜୁମା (୩୨), ଜାବିଦ୍ ସା (୨୨) ଓ ଇମ୍ରାନ୍ ସା (୨୯) ପିପିଲି ପୌରାଞ୍ଚଳ ନରସିଂହପୁରର ହୋଇଥିବା ବେଳେ ବାଲେଶ୍ୱର ଟାଉନ ଥାନା ସୁନହାଟର ସେକସାହିଦ୍ ଅଲୀ (୨୪) ଏବଂ ଅନ୍ୟ ଜଣେ ନାବାଳକଙ୍କୁ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତମାନେ କୁୁଖ୍ୟାତ ଅନ୍ତର୍ଜାତୀୟ ବ୍ରାଉନସୁଗର ବେପାରୀ ବୋଲି କୁହାଯାଉଛି । ପିପିଲି ଥାନାରେ ଏନେଇ ଏନ୍‌ଡିପିଏସ୍ ଆକ୍ଟ -୨୧(ସି) ଓ ୨୯ ଅନୁଯାୟୀ ତଦନ୍ତ ଚାଲୁରହିଥିବା ପିପିଲି ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତମାନଙ୍କର ଜଳେଶ୍ୱର ଏବଂ ଖୋର୍ଦ୍ଧାସହିତ ଲିଙ୍କ୍ ଥିବାର ପୁଲିସ ଅନୁମାନ କରିଛି ।