Odia News Portal

୩୧ ରୁ ଆରମ୍ଭ ହେବ ବଜେଟ ଅଧିବେଶନ

୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ତେବେ ଏହି ଅଧିବେଶନ କାଳରେ ଭିନ୍ନ ଭିନ୍ନ ସିଫ୍ଟରେ ଲୋକସଭା ଓ ରାଜ୍ୟସଭା ଚାଲିବ । ପ୍ରତି ସଦନ ୫ ଘଣ୍ଟା ଲେଖାଏଁ ଚାଲିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫେବ୍ରୁଆରୀ ୧ ପୂର୍ବାହ୍ନ ୧୧ଟାରେ ଲୋକସଭା ଅଧିବେଶନ ଆରମ୍ଭ ହେବ ଏବଂ ଏଥିରେ ସାଧାରଣ ବଜେଟ ଆଗତ ହେବ । ଫେବ୍ରୁଆରୀ ୨ରୁ ୧୧ ତାରିଖ ପର୍ୟ୍ୟନ୍ତ ଲୋକସଭାର ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ୟ୍ୟନ୍ତ ଚାଲିବ ।
ସେହିପରି ସକାଳ ୯ଟାରୁ ଅପରାହ୍ମ ୨ଟା ପର୍ୟ୍ୟନ୍ତ ଚାଲିବ ରାଜ୍ୟସଭା । ଉଭୟ ଲୋକସଭା ଓ ରାଜ୍ୟସଭାରେ ସାମାଜିକ ଦୂରତା ନିୟମ ରକ୍ଷା କରାଯିବ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟୟବରାଦ ଦାବିକୁ ଅନୁଧ୍ୟାନ କରିବ ଷ୍ଟାଣ୍ଡିଂ କମିଟି । ଆସନ୍ତା ମାର୍ଚ୍ଚ ୧୪ରେ ସଂସଦର ଉଭୟ ଗୃହର ଅଧିବେଶନ ପୁଣି ଆରମ୍ଭ ହେବ ଏବଂ ଏପ୍ରିଲ ୮ରେ ସଂସଦ ଅଧିବେଶନ ଶେଷ ହେବ । ଗତ ୨୦୨୦ରେ ସଂସଦର ମୌସୁମୀ ଅଧିବେଶନ ପ୍ରକ୍ରିୟା ସିଫ୍ଟ ଭିତ୍ତିରେ ଆରମ୍ଭ ହୋଇଥିଲା । ସେତେବେଳେ ଦିନର ପ୍ରଥମ ଭାଗରେ ରାଜ୍ୟସଭା ଅଧିବେଶନ ଓ ଅପରାହ୍ମ ଭାଗରେ ଲୋକସଭା ଅଧିବେଶନ ବସୁଥିଲା । ଏହି ପ୍ରକ୍ରିୟା ଗତବର୍ଷ ବଜେଟ ଅଧିବେଶନ କାଳରେ ବି ଜାରି ରହିଥିଲା ।