Odia News Portal

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍ ସିଂହ ଚନ୍ନୀ

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚନ୍ନି ଶପଥ ନେଇଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ଓପି ସୋନି ମଧ୍ୟ ଶପଥ ନେଇଛନ୍ତି। ପଞ୍ଜାବରେ ପ୍ରଥମ ଥର ପାଇଁ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ତେବେ ଅପମାନିତ ହୋଇ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହୋଇଥିବା କ୍ୟାପଟେନ ଅମରିନ୍ଦର ସିଂ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ।
ପଞ୍ଜାବ ଇତିହାସରେ ଚରଣଜିତ୍ ଚନ୍ନି ହେଉଛନ୍ତି ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ । ଏଥି ସହ ଜାଟ୍ ଶିଖ ସମ୍ପ୍ରଦାୟର ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ହିନ୍ଦୁ ନେତା ଭାବରେ ଓପି ସୋନିଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ପୂର୍ବରୁ ସୋନିଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ଭାବେ ବ୍ରହ୍ମାମୋହିନ୍ଦ୍ରଙ୍କ ନାମ ଘୋଷଣା କରାଯାଇଥିଲା। ତେବେ ମୋହିନ୍ଦ୍ର କ୍ୟାପଟେନ ଗୋଷ୍ଠୀର ହୋଇଥିବାରୁ ତାଙ୍କୁ ଶେଷ ମୁହୂର୍ତ୍ତରେ ବାଦ୍ ଦିଆଯାଇଥିଲା ଜ୍ଝ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁଙ୍କ ସମର୍ଥନରେ ଚନ୍ନି ମୁଖ୍ୟମନ୍ତ୍ରୀ ପଦ ପାଇବାରେ ସଫଳ ହୋଇଛନ୍ତି।