Odia News Portal

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ଅଜିତ ମଙ୍ଗରାଜଙ୍କ ବିୟୋଗ ନେଇ ଶୋକବ୍ୟକ୍ତ କରିଛନ୍ତି ନବୀନ | ଅଜିତଙ୍କ ଅକାଳ ବିୟୋଗ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।

ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଗତ କିଛି ଦିନ ତଳେ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଅଜିିତଙ୍କ ବଡ଼ ଭାଇଙ୍କ ସହ ଫୋନ୍ ଯୋଗେ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ |ତେବେ ଅଜିତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତା ମନ୍ତ୍ରୀଗଣ ମଧ୍ୟ ଶୋକପ୍ରକାଶ କରିଛନ୍ତି |