Odia News Portal

ବାଂଲାଦେଶକୁ ୯୫ ରନରେ ହରାଇଲା ଭାରତ, ଧୋନୀ-ରାହୁଲଙ୍କ ଶତକ

କାର୍ଡିଫ : ମହେନ୍ଦ୍ର ସିଂହ ଧୋନୀ ଓ କେଏଲ ରାହୁଲଙ୍କ ଧମାକାଦାର ବ୍ୟାଟିଂ ପରେ କୁଲଦୀପ-ଚହଲଙ୍କ ଶାଣିତ ବୋଲିଂ ବଳରେ ଭାରତ ଏଠାରେ ଖେଳାଯାଇଥିବା ନିଜର ଦ୍ଵିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚରେ ବାଂଲାଦେଶକୁ ୯୫ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଦୃଢ ମନୋବଳ ସହ ଜୁନ ୫ରେ ଦକ୍ଷିଣ ଆଫ୍ରିକାବ ବିପକ୍ଷରେ ବିଶ୍ଵ କପ ଅଭିଯାନ ଆରମ୍ଭ କରିବ। ମହେନ୍ଦ୍ର ସିଂହ ଧୋନୀଙ୍କ ୧୧୩ ଓ କେଏଲ ରାହୁଲଙ୍କ ୧୦୮ ରନ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ବିଶାଳ ୩୫୯ ରନ କରିଥିଲା। ଜବାବରେ ୩୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୯.୩ ଓଭରରେ ୨୬୪ ରନ କରି ଅଲଆଟ୍ ହୋଇଛି। ବାଂଲାଦେଶ ପକ୍ଷରୁ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମୁସଫିକର ରହିମ ୯୦ ରନର ପ୍ରଶଂସନୀୟ ପାଳି ଖେଳିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସଫଳ ବୋଲର ଭାବେ ୩ଟି  ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୩୬୦ ରନର ବିଶାଳ ଲକ୍ଷ୍ୟକୁ ପିଛା କରିଥିବା ବାଂଲାଦେଶକୁ ଦୁଇ ଓପନର ଲିଟନ ଦାସ ଓ ସୌମ୍ୟ ସରକାର ଭଲ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ୯.୪ ଓଭରରେ ୪୯ ରନ ଯୋଡିଥିଲେ। ଏହି କ୍ରମରେ ସୌମ୍ୟ ସରକାର(୨୫)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଠିକ୍ ଏହି ୪୯ ସ୍କୋରରେ ବୁମରା ସାକିକ ଉଲ ହାସନ(୦)ଙ୍କୁ ଓ୍ଵିକେଟ୍ କିପର କାର୍ତ୍ତିକଙ୍କ ହାତରେ କ୍ୟାଚ୍ କରାଇ କ୍ରମାଗତ ଦ୍ଵିତୀୟ ସଫଳତା ଦେଇଥିଲେ। ୪୯ ରନରେ ଦୁଇ ଓ୍ଵିକେଟ୍ ହରାଇବା ପରେ ବାଂଲାଦେଶର ମଙ୍ଗ ସମ୍ଭାଳିଥିଲେ ଓପନର ଲିଟନ ଦାସ ଓ ମୁସଫିକର ରହିମ।

ଉଭୟ ବ୍ୟାଟସମ୍ୟାନ ଭାରତୀୟ ବୋଲିଂର ମୁକାବିଲା କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏହି କ୍ରମରେ ଉଭୟ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୩ୟ ଓ୍ଵିକେଟରେ ୧୨୦ ରନ ଯୋଡି ସ୍କୋରକୁ ୧୬୯ରେ ପହଞ୍ଚାଇବା ସହ ଦଳ ପାଇଁ ବିଜୟ ଆଶା ଉଜ୍ଜିବୀତ କରିଥିଲେ। ମାତ୍ର ୟୁଜବେନ୍ଦ୍ର ଚହଲ ଲିଟନ ଦାସଙ୍କୁ ଧୋନୀଙ୍କ ଦ୍ଵାରା ଷ୍ଟମ୍ପ ଆଉଟ୍ କରାଇ ଯୋଡିକୁ ଭାଙ୍ଗିଥିଲେ। ଏହା ପୂର୍ବରୁ ଲିଟନ ୯୦ ବଲରୁ ୧୦ ଚୌକା ଜରିଆରେ ୭୩ ରନ କରିଥିଲେ।

ଲିଟନଙ୍କ ଆଉଟ୍ ପରେ ବାଂଲାଦେଶ ଭାରତୀୟ ବୋଲିଂର ମୁକାବିଲା କରିନପାରି ବ୍ୟାଟିଂ  ବିପର୍ୟ୍ୟ ୟ ଭୋଗିଥିଲା। ସେହି ୧୬୯ ରନ ସ୍କୋରରେ ମହମ୍ମଦ ମିଥୁନଙ୍କୁ ଚହଲ ଆଉଟ୍ କରି ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ। ଏହା ପରେ ବାଂଲାଦେଶ କ୍ରମାଗତ ଓ୍ଵିକେଟ୍ ହରାଇ ଚାଲିଥିଲା। ୧୯୧ ରନ ସ୍କୋରରେ ମହମ୍ମଦୁଲ୍ଲାହ(୯)ଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଏହା ପରେ ଦଳ ପାଇଁ ସଙ୍କଟ ମୋଚନ ସାଜିଥିବା ମୁସଫିକର ରହିମ ଆଉଟ୍ ହେବା ପରେ ବାଂଲାଦେଶର ବିଜୟ ଆଶା ମଉଳି ଯାଇଥିଲା। ମୁସଫିକର ୨୧୬ ରନ ସ୍କୋରରେ ବ୍ୟକ୍ତିଗତ ୯୪ ବଲରୁ ୮ ଚୌକା ଓ ୨ ଛକା ବଳରେ ୯୦ ରନ କରି ଆଉଟ୍ ହୋଇଥିଲେ। କୁଲଦୀପ ତାଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ଷଷ୍ଠ ସଫଳତା ଦେଇଥିଲେ।

ସେହି ୨୧୬ ସ୍କୋରରେ ବାଂଲାଦେଶକୁ ସପ୍ତମ, ଅଷ୍ଟମ ଝଟକା ଲାଗିଥିଲା। ଶେଷ ଆଡକୁ ମହମ୍ମଦ ସୈଫୁଦିନ ୧୮ ଓ ମହେନ୍ଦି ହାସନ ୨୭ ରନ କରି ପାଭିଲିୟନ ଫେରିଥିଲେ। ଏହି ପରି ଏକଦା  ୧୬୯ ରନରେ ୩ ଓ୍ଵିକେଟ୍ ହରାଇଥିବା ବାଂଲାଦେଶ ଶେଷ ୭ ଓ୍ଵିକେଟ୍ ୯୭ ରନରେ ହରାଇଥିଲା। ଦଳ ୧୬୯ ରୁ ୨୧୬ ମଧ୍ୟରେ ୫ ଓ୍ଵିକେଟ୍ ହରାଇବା ଦଳ ପାଇଁ ଘାତକ ହୋଇଥିଲା। ଶେଷରେ ଦଳ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଥିଲା।

ଭାରତ ପକ୍ଷରୁ ସଫଳ ବୋଲର ଭାବେ କୁଲଦୀପ ଯାଦବ ୪୭ ରନ ଦେଇ ୩ ସଫଳତା ଓ ୟୁଜବେନ୍ଦ୍ର ଚହଲ ୫୫ ରନ ଦେଇ ୩ ସଫଳତା ହାସଲ କରିଥିଲେ। ଯଶପ୍ରୀତ ବୁମରା ୨ ଓ ରବୀନ୍ଦ୍ର ଜାଡେଜା ୧ ଓ୍ଵିକେଟ୍ ନେଇଥିଲେ।