Odia News Portal

୯ଟି ବୃହତ ପ୍ରକଳ୍ପକୁ ମିଳିଲା ହାଇଲେଭଲ କ୍ଳିୟରାନସ

ରାଜ୍ୟ ସରକାର ୧,୫୩,୦୭୪.୬୩ ଲକ୍ଷ କୋଟି ଟଙ୍କାର ୯ଟି ବୃହତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ମୋଟ ୨୭ ହଜାର ୩୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହାଇଲେଭଲ କ୍ଲିଅରାନ୍ସ ଅଥରିଟି -ଏଚଏଲସିଏ ବୈଠକରେ ଗ୍ରୀନ୍ ଏନର୍ଜିଂ ଓ ଉପକରଣ କ୍ଷେତ୍ରର ୪ଟି ପ୍ରକଳ୍ପ, ପେପର ଶିଳ୍ପର ୨ଟି ପ୍ରକଳ୍ପ, ମେଟାଲ ଓ ମିନେରାଲ କ୍ଷେତ୍ରର ୨ଟି ଓ ଗୋଟିଏ ଆଇଟି କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମାଧ୍ୟମରେ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ଆସିଥିଲା । ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ।

ଯେଉଁସବୁ ପ୍ରକଳ୍ପଗୁଡ଼ିକୁ ହାଇଲେଭଲ କ୍ଲିଅରାନ୍ସ ମିଳିଛି ସେଥିରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ୩୮ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ବାର୍ଷିକ ୭ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ । ଏହା ଦ୍ୱାରା ୧୧୪୯୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ରୁଙ୍ଗଟା ମେଟାଲସ ପ୍ରାଇଭେଟ ଲିମିଟେଡ୍ ୧୧୪୦କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ନିଜର ଷ୍ଟିଲ ପ୍ଲାଂଟକୁ ବାର୍ଷିକ ୦.୫ ନିୟୁତ ଟନରୁ ଏକ ନିୟୁତ ଟନ କ୍ଷମତାକୁ ସମ୍ପ୍ରସାରଣ କରିବ । ଏହାଦ୍ୱାରା ଅଧିକ ୧୦୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ଏସିଏମଇ କ୍ଲିନ୍ ଏନର୍ଜି ପ୍ରାଇଭେଟ ଲିମିଟେଡର ୫୮୨୦୯.୧୩କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । କମ୍ପାନୀ ୧.୧ ମିଲିୟନ କ୍ଷମତା ବିଶିଷ୍ଟ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟ ଓ ଗ୍ରୀନ୍ ଆମୋନିଆ ପ୍ଲାଂଟ ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ସ୍ଥାପନ କରିବ । ସେହିପରି ୪୫୦୦ ମେଗାୱାଟ ସୋଲାର ପାୱାର ପ୍ଲାଂଟ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ କରିବ । ଏହାଦ୍ୱାରା ମୋଟ ୩୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅଭାଦା ଗ୍ରୀନ୍ ଏଚ୨ ପ୍ରାଃ ଲିମିଟେଡ ୨୩୫୦୦କୋଟି ଟଙ୍କା ବ୍ୟୟରେ ଗଞ୍ଜାମରେ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବ । ଏଥିରେ ୧୫୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ରିନ୍ୟୁ ଫୁଏଲସ ପ୍ରାଇଭେଟ ଲିମିଟେଡ୍ ୨୦ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ଗ୍ରୀନ୍ ଆମୋନିଆ ପ୍ଲାଂଟ ନିର୍ମାଣ କରିବ । ଏଥିରେ ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଓସିଓର ଏନର୍ଜି ପ୍ରାଃ ଲିମିଟେଡ୍ ୭୨୦୦କୋଟି ଟଙ୍କା ବ୍ୟୟରେ ଗୋପାଳପୁରଠାରେ ଗ୍ରୀନ୍ ଆମୋନିଆ ପ୍ଲାଂଟ ନିର୍ମାଣ କରିବ । ଏଥିରେ ୧୩୦୦ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଃ ଲିମିଟେଡ୍ ୨୫୦୦କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରର ରେମୁଣାଠାରେ ବ୍ୟାଙ୍କ ନୋଟ୍ ପେପର ନିର୍ମାଣ ୟୁନିଟ୍ ସ୍ଥାପନ କରିବ । ଏଥିରେ ୮୨୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହା ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଯୌଥ ଉଦ୍ୟୋଗ ହେବ । ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୧ହଜାର କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳରେ ଗ୍ରୀନଫିଲଡ୍ ସମନ୍ୱିତ ପ୍ଲପ ଓ ପେପର ମିଲ୍ ସ୍ଥାପନ କରିବ । ଏଥିରେ ୩ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।
ମାଇଁ ହୋମ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ୧୫୨୫କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଆଇଟି ଭିତ୍ତିଭୂମି ସ୍ଥାପନ କରିବ । ଏହା ଦ୍ୱାରା ୨୫୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।