Odia News Portal

ସାଇବର ଠକେଇରେ ଲାଗିବ ରୋକ୍

ଭୁବନେଶ୍ୱର : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 700-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି କେହି ଫୋନ୍‌ କରି ହଇରାଣ ହରକତ କରୁଥିବ, ତାହେଲେ ଏ ସମ୍ପର୍କରେ ହେଲ୍‌ପ ଡେସ୍କକୁ ଜଣାଇ ପାରିବେ । ଠକେଇର ୧ ଘଣ୍ଟା ମଧ୍ୟରେ ହେଲପ୍‌ ଡେସ୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ପ୍ରାରମ୍ଭିକ ଭାବେ ଜଣେ ସବ୍‌ ଇନ୍ସପେକ୍ଟର ଓ ୭ ଜଣ କନଷ୍ଟେବଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ,ରାଜ୍ୟରେ ସାଇବର ଠକେଇ ମାମଲା ବଢ଼ି ବଢ଼ି ଚାଲିଛି । ପ୍ରତିଦିନ ବହୁତ ଲୋକ ଠକେଇର ଶିକାର ହେଉଛନ୍ତି । ସାଇବର ଠକମାନେ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ଟେର ପାଇପାରୁନି । ତେବେ ଠକେଇର ଶିକାର ଲୋକଙ୍କ ସୁରକ୍ଷା ନିମନ୍ତେ କମିଶନରେଟ୍‌ ପୁଲିସ ଏହିଭଳି ଅଭିନବ ଉପାୟ ଆପଣାଇଛି |