Odia News Portal

ରାଜଧାନୀ ମୁହାଁ ହେଉଛନ୍ତି କୋଭିଡ ରୋଗୀ

*ଡାକ୍ତରଖାନା ଉପରେ ଚାପ ।

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରୁ କୋଭିଡ ରୋଗୀମାନେ ଏବେ ରାଜଧାନୀ ମୁହାଁ ହୋଇଛନ୍ତି । ଏଠାରେ ଛଅ ଛଅଟି ସରକାରୀ କୋଭିଡ ଡାକ୍ତରଖାନା ସହିତ କେତେକ ଆଗଧାଡିର ଘରୋଇ ଡାକ୍ତରଖାନାରେ କୋଭିଡ ଚିକିସôା ସୁବିଧା ମିଳୁଥିବାରୁ ଲୋକେ ଜୀବନ ବଞ୍ଚାଇବାପାଇଁ ଏଠାରୁ ଆସୁଛନ୍ତି । ଏଥିଯୋଗୁଁ ଘରୋଇ ଡାକ୍ତରଖାନା ମାଲେମାଲ ହେଉଥିବାବେଳେ ସରକାରୀ କୋଭିଡ ଡାକ୍ତରଖାନା ଉପରେ ଚାପ ବଢିବାରେ ଲାଗିଛି ।

କରୋନାର ଦ୍ୱିତୀୟ ଲହର ରାଜ୍ୟର ୧୦ଟି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଉକ୍ରଟ ହୋଇଥିବାବେଳେ ସେଠାରେ ରୋଗୀଙ୍କୁ ଆଇସିୟୁ, ଭେଣ୍ଟିଲେଟର ଭଳି ଚିକିତ୍ସା ସୁବିଧା ମିଳୁନାହିଁ । ତେଣୁ ଅନେକ ସ୍ଥାନରେ ଲୋକେ ଏହିସବୁ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି । ପଇସା ଥିଲେ ବି ଜୀବନ ବଞ୍ଚିପାରୁ ନାହିଁ । ତେଣୁ ଅନେକ ଏବେ କୋଭିଡ ପଜିଟିଭ ରିପୋର୍ଟ ଦେଖିଲାମାତ୍ରେ ରାଜଧାନୀ ମୁହାଁ ହେବାରେ ଲାଗିଛନ୍ତି । ଏପରିକି ସାମନ୍ୟ ଲକ୍ଷଣ ଥାଇ ପଜିଟିଭ ଚିହ୍ନଟ ହେଉଥିବା ଆକ୍ରାନ୍ତ ବି ଡାକ୍ତରଙ୍କ କଥା ନମାନି ଘର ଛାଡୁଛନ୍ତି ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ରାଜଧାନୀର କୋଭିଡ ଡାକ୍ତରଖାନାକୁ ଛୁଟିବାର ଅନ୍ୟତମ କାରଣ ହେଲା ସ୍ୱାସ୍ଥ୍ୟ ବିଭାଗର ବଡପଣ୍ଡାମାନେ ବାରମ୍ବାର ଟିଭିରେ ୮୦ରୁ ୯୦ ପ୍ରତିଶତ ଶଯ୍ୟା ଖାଲିପଡିଛି, ଆଇସିୟୁ ଓ ଭେଣ୍ଟିଲେଟରରେ ମାତ୍ର ଅଳ୍ପ ରୋଗୀ ଚିକିତ୍ସିତ ହେଉଛନ୍ତି, ଏଠାରେ ଅମ୍ଳଜାନର ଅଭାବ ନାହିଁ ବୋଲି କହିବା ଫଳରେ ଲୋକେ ଉତ୍ତମ ଚିକିତ୍ସା ପାଇବାକୁ ରାଜଧାନୀକୁ ପଳାଇ ଆସିବାକୁ ଉଚିତ୍‌ ମଣୁଛନ୍ତି । ଏହାଦ୍ୱାରା ରାଜଧାନୀର କୋଭିଡ ଡାକ୍ତରଖାନାଗୁଡିକ ଉପରେ ଚାପ ବଢିବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ଅନେକ ସଂକ୍ରମିତ ଏଠାରେ ହୋଟେଲ ଭଡାନେଇ ରହିବାପରେ କଣ୍ଟ୍ରୋଲରୁମ୍‌କୁ ଫୋନ୍‌ କରି କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ।

ଆର୍ଥିକ ସମ୍ବଳ ଥିବା କିଛି ସଂକ୍ରମିତ ସରକାରୀ ଡାକ୍ତରଖାନକୁ ଅପେକ୍ଷା ନକରି ଘରୋଇ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଯାଉଛନ୍ତି । ଅବଶ୍ୟ ସେଠାରେ ସେମାନଙ୍କୁ ଲକ୍ଷାଧିକ ଟଙ୍କା ଗଣିବାକୁ ପଡୁଛି । ଆବଶ୍ୟକ ନଥିଲେ ବି ଭେଣ୍ଟିଲେଟର ଲାଗୁଛି ଓ କେତେକ ସ୍ଥଳରେ ଆଇସିୟୁରେ ବି ରହିବାକୁ ହେଉଛି । ଅବଶ୍ୟ ଏଥିପାଇଁ ରାଜଧାନୀର ଅନେକ ଘରୋଇ ଡାକ୍ତରଖାନା ଏବେ ମାଲେମାଲ ହେବାରେ ଲାଗିଛନ୍ତି ।ଗୋଟିଏ ପଟେ ବିଭିନ୍ନ ଜିଲ୍ଲାରୁ ରୋଗୀମାନେ ରାଜଧାନୀମୁହାଁ ହେଉଥିବାବେଳେ ଅନ୍ୟ ପଟେ ରାଜଧାନୀ କୋଭିଡ ସଂକ୍ରମିତ ବିଏମ୍‌ସିକୁ ଫୋନ୍‌ କଲେ ଆମ୍ବୁଲାନ୍ସ ଯାଉଛି ଯାଉଛି କହି ଘଣ୍ଟାଏ ଲଗାଇ ଦେଉଛନ୍ତି । ଅଧିକାଂଶଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଉଛନ୍ତି । ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଓ ଶଯ୍ୟା ଦ୍ରୁତ ଗତିରେ ପୂରଣ ହୋଇଯାଇଥିବାରୁ ଲୋକେ ଛାନିଆ ହୋଇ ଏବେ କୋଭିଡ ଡାକ୍ତରଖାନା ଯିବାକୁ ଇଚ୍ଛୁକ ହେଉଥିବା ଲକ୍ଷ୍ୟ କରାଯାଉଛି ।