Odia News Portal

ଆଣ୍ଡର୍ସନଙ୍କ ରେକର୍ଡ଼ : ପ୍ରଥମ ପେସ୍‌ ବୋଲର୍‌ ଭାବେ ଦଖଲ କଲେ ୬୦୦ ଟେଷ୍ଟ ଓ୍ଵିକେଟ୍‌

ଆଜିଯାଏ କୌଣସି ପେସ୍‌ ବୋଲର୍‌ ଯାହା କରି ପାରିନଥିଲେ ତାହା କରି ଦେଖାଇଛନ୍ତି ଇଂଲଣ୍ଡ ବୋଲର୍‌ ଜେମ୍ସ ଆଣ୍ଡରସନ୍‌ । ତୃତୀୟ ଟେଷ୍ଟରେ ପାକିସ୍ତାନର ଆଝାର ଅଲୀଙ୍କୁ ଆଉଟ୍‌ କରି ଏକ ବିଶ୍ୱ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ସେ । ଆଣ୍ଡରସନ୍‌ ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ପେସ୍‌ ବୋଲର୍‌ ଭାବେ ୬୦୦ ଓ୍ଵିକେଟ୍‌ ଦଖଲ କରିଛନ୍ତି । ପୂର୍ବରୁ କେବଳ ସ୍ପିନ୍‌ ବୋଲର୍‌ମାନେ ଏହି କ୍ଲବ୍‌ରେ ସାମିଲ ଥିଲେ ।

ସାଉଥମ୍ପଟନ୍‌ର ଏଜେସ୍‌ ବୋଲ୍‌ ଠାରେ ଚାଲିଥିବା ଏହି ମ୍ୟାଚ୍‌ରେ ଆଜି ଆଣ୍ଡରସନ୍‌ ପାକିସ୍ତାନ କ୍ୟାପଟେନ୍‌ ଆଝାର ଅଲୀଙ୍କୁ ଆଉଟ୍‌ କରିବା ସହ ପ୍ରଥମ ଇନିଂସ୍‌ରେ ମୋଟ୍‌ ୫ଟି ଓ୍ଵିକେଟ୍‌ ନେଇଛନ୍ତି । ଏହି କ୍ରମରେ ସେ ୬୦୦ ଓ୍ଵିକେଟ୍‌ ଦଖଲ କରିଥିଲେ । ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ମୁଥେୟା ମରଲୀଧରନ, ଅଷ୍ଟ୍ରେଲିଆର ସେନ୍‌ ଓ୍ଵର୍ଣ୍ଣ ଏବଂ ଭାରତର ଅନୀଲ କୁମ୍ବଲେ ୬୦୦ ଓ୍ଵିକେଟ୍‌ ଦଖଲ କରିଥିଲେ । ହେଲେ ଏମାନେ ସମସ୍ତେ ହେଉଛନ୍ତି ସ୍ପିନର୍‌ ।

ଆଣ୍ଡରସନ୍‌ ୨୦୦୩ରେ ଜିମ୍ବାେଓ୍ଵ ବିପକ୍ଷରେ ଖେଳି ତାଙ୍କ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ୨୦୧୮ରେ ଭାରତର ମହମ୍ମଦ ସାମିଙ୍କୁ ଆଉଟ୍‌ କରି ଗ୍ଲେନ୍‌ ମାକ୍‌ଗ୍ରାଙ୍କ ସର୍ବାଧିକ ୫୬୩ ଓ୍ଵିକେଟ୍‌ର ରେକର୍ଡ଼କୁ ଭାଙ୍ଗିଥିଲେ । ଚଳିତ ସିରିଜ୍‌ର ପ୍ରଥମରୁ ତାଙ୍କ ପ୍ରଦର୍ଶନ ଭଲ ନଥିବାରୁ ସେ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଆଣ୍ଡର୍ସନ ପୁଣି ଫର୍ମକୁ ଫେରି ନିଜର ଜଲଓ୍ଵା ଦେଖାଇବା ସହ ରେକର୍ଡ଼ କରିଛନ୍ତି ।