Odia News Portal

ନେତାଙ୍କୁ ହଟହଟା କଲା ବାତ୍ୟା

* ଲୋକଙ୍କ ମନ ଜିତିବାକୁ ପଦାକୁ ଗୋଡ଼ କାଢିଲେ ।

ଭୁବନେଶ୍ୱର: ବାତ୍ୟା ୟସ ଏବେ ଅନେକ ନେତାଙ୍କୁ ଅଡୁଆ ହୋଇଛି । ବିଶେଷକରି ଯେଉଁ ନେତାମାନେ କରୋନା ବାହାନାରେ ଘରୁ ବାହାରୁନଥିଲେ କିମ୍ବା କାଳେ ବାହାରକୁ ବାହାରିବାକୁ ପଡିବ ସେହି ଭୟରେ ଫୋନ୍‌ ଧରୁନଥିଲେ ସେମାନଙ୍କ ପାଇଁ ଅଧିକ ସମସ୍ୟା କରିଛି । ଏବେ ବାଧ୍ୟ ବାଧ୍ୟକତାରେ ଅନେକ ଘରୁ ବାହାରି ମଇଦାନକୁ ଆସୁଛନ୍ତି । ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥାକୁ ଦେଖି ଏମାନେ ଏବେ ଇଚ୍ଛାନଥିଲେ ବି ଲୋକଙ୍କ ନିକଟକୁ ଆସୁଥିବା ଲକ୍ଷ୍ୟ କରାଯାଉଛି ।

କରୋନାର ଦ୍ୱିତୀୟ ଲହର ଭୟାବହ ହୋଇଥିବା ସମୟରେ କିଛି ରାଜନେତା କରୋନା ସଂକ୍ରମିତ ହୋଇଥିଲେ ଓ ଆହୁରି ଅନେକ ନେତା କରୋନା ଭୟରେ ଘରେ ରହିଥିଲେ । କାଳେ ପଦାକୁ ବାହାରିଲେ କରୋନା ହୋଇଯିବ ସେହି ଡରରେ ହାଟ ବଜାରକୁ ବି ଆସୁନଥିଲେ । ନିଜ ନିଜର ଚେଲା ଚାମୁଣ୍ଡା ଓ କାମବାଲାଙ୍କୁ ବଜାରକୁ ପଠାଇ କାମ ସାରିଦେଉଥିଲେ । ଅତି ଦରକାର ହେଲେ ଘରେ ବସି ଅନ୍‌ଲାଇନ୍‌ରେ ଜିନିଷ ମଗାଉଥିଲେ । ଏହି ସମୟରେ ଅନେକଙ୍କ ଫୋନ୍‌ ବି ଠିକଣା ଭାବେ ଲାଗୁନଥିଲା । କାଳେ କିଏ ଡାକ୍ତରଖାନା ସହାୟତା ମାଗିବ ସେହି ଭୟରେ ଥୋକେ ତ ଫୋନ୍‌ ଧରୁନଥିଲେ ।

ଏଥିରେ ଉପକୂଳିଆ ନେତା ସବୁଠାରୁ ଆଗରେ ଥିବା ଚର୍ଚ୍ଚା ହେଉଥିଲା ।ଏଭଳି ସମୟରେ ବାତ୍ୟା ୟସ କିନ୍ତୁ ଏମାନଙ୍କ ହୋସ ଉଡାଇଛି । କରୋନା ଭୟ ଥିଲେ ବି ଲୋକଙ୍କ ନିକଟକୁ ଯିବାକୁ ପଡୁଛି । କିଏ ପ୍ରଶାସନ ସହିତ ଆଲୋଚନା କରି ଫଟୋ ଛାଡୁଛି ତ ଆଉ କିଏ ରିଲିଫ ସାମଗ୍ରୀ ହାତରେ ଧରି ଫଟୋ ପଠାଇବା ଆରମ୍ଭ କରିଛି । ଏଣେ ଉଭୟ ଶାସକ ଓ ବିରୋଧିଦ ପକ୍ଷରୁ ଲୋକଙ୍କ କଥା ବୁଝିବାପାଇଁ କଡା ତାଗିଦ ହୋଇଛି । ମୁହଁରେ ଦୁଇ ତିନିଟା ମାସ୍କ ବାନ୍ଧି ଏବେ ତଳୁ ଉପର ପର୍ଯ୍ୟନ୍ତ ବହୁ ନେତା ମଇଦାନରେ ହାଜର ହୋଇଛନ୍ତି । ଆଉ କିଛି ପ୍ରଶାସନ ସହିତ ଯୋଗାଯୋଗରେ ରହିଛନ୍ତି ।ତେବେ ବାତ୍ୟା ବାଡିଆ ସାଧାରଣ ଲୋକେ ବି ନିଜ ନିଜ ନେତାଙ୍କୁ ପାଖରେ ପାଇ ସାହାଯ୍ୟ ଟିକେ ପାଇବାକୁ ବିକଳ ହେବାରେ ଲାଗିଛନ୍ତି । ଯଦି ପାଖରେ ନପାଇବେ ତେବେ ଆଗାମୀ ଦିନରେ ପାନେ ଦେବାକୁ ବି ପଛାଇବେ ନାହିଁ ।

ନେତା-ଜନତା ସମସ୍ତେ ବୁଝିଛନ୍ତି କରୋନା କହର କମିଲା ମାତ୍ରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବ । ଏହା ପରେ ପରେ ସାଧାରଣ ନିର୍ବାଚନ ବି ଆସିଯିବ । ତେଣୁ ଲୋକେ ନିଶ୍ଚୟ ନେତାଙ୍କ ଅନୁପସ୍ଥିତକୁ ମନେ ରଖିବେ । ଫଳରେ ସୋସିଆଲ ମିଡିଆରେ ନିଜ ନିଜ ଅଞ୍ଚଳବାସୀଙ୍କୁ ‘ଘରେ ରୁହ-ସୁସ୍ଥ ରୁହ’ ପରାମର୍ଶ ଦେଇ ଘରୁ ବାହାରୁନଥିବା ନେତାଏ ଏବେ ବାଧ୍ୟହୋଇ ଘରୁ ପଦାକୁ ଗୋଡ କାଢିଛନ୍ତି । ତେବେ କରୋନା ସଂକ୍ରମଣର ଗ୍ରାଫ ଏବେ ବି ଉପରମୁହାଁ ରହୁଥିବାରୁ ଏହି ନେତାମାନେ ଉଭୟ ବାତ୍ୟା ଓ କରୋନାରୁ ନିଜ ଲୋକଙ୍କୁ ଓ ନିଜକୁ କେତେ ସୁରକ୍ଷିତ ରଖୁଛନ୍ତି ତାହା ବାତ୍ୟା ଯିବାପରେ ଜଣାପଡିବ ।