Odia News Portal

ସୁଟକେଶରେ ମୃତଦେହ ମିଳିବା ଘଟଣାରେ ସ୍ତ୍ରୀଙ୍କ ସମେତ ୩ ଗିରଫ

ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି। ତିନି ଅଭିଯୁକ୍ତ ହେଲେ ମୃତ ଯୁବକଙ୍କ ସ୍ତ୍ରୀ, ସଂପର୍କୀୟ ଭାଇ ଓ ଅନ୍ୟ ଜଣେ। ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର (୩୫)। ସେ ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅଧୀନ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ଅଟନ୍ତି।
ସୂଚନା ଅନୁସାରେ ଗତକାଲି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସପ୍ସଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ। କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ। ହଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା। ସୁଟକେଶ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା।