Odia News Portal

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ କୃଷିବିଲ୍କୁ ଚିରି ଫୋପାଡିଲେ କେଜ୍ରିୱାଲ

କୃଷି ଆଇନର ବିଲ୍କୁ ଚିରି ଫୋପାଡିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ବିବାଦିୟ କୃଷି ବିଲକୁ ଚିରି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଦିଲ୍ଲୀ ସରକାର ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ଏହି ଦିନିକିଆ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହ ମଧ୍ୟରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଥିଲେ। ଏଥିସହ ସେ ଚେତାବନୀ ଦେଇ କହିଛନ୍ତି କି କେନ୍ଦ୍ରସରକାର ବ୍ରିଟିସ ମାନଙ୍କ ଠାରୁ ଆହୁରି ନିର୍ଦ୍ଦୟ ହୁଅ ନାହିଁ ।

ଦିଲ୍ଲୀ ସୀମାରେ ଦୀର୍ଘ ୨୨ ଦିନ ହେଲା ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। କୃଷକ ଆନ୍ଦୋଳନ ଉପରେ ଚର୍ଚ୍ଚା କରିବାକୁ ଡକାଯାଇଥିବା ଦିଲ୍ଲୀ ବିଧାସଭାର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାରଙ୍କୁ କଡା ଟିପ୍ପଣୀ ଦେଇ ସେ କହିଛନ୍ତି କି କରୋନା ମହାମାରୀ ସମୟରେ ଏଭଳି ଆଇନ ପାରିତ କରିବାର କ’ଣ ଆବଶ୍ୟକତା ଥିଲା ।

ଗୃହରେ ଉଦବୋଧନ ଦେଇ କେଜ୍ରିୱାଲ କହିଛନ୍ତି, “ମୁଁ ଆଜି କେନ୍ଦ୍ର ସରକାର ଜାରି କରିଥିବା ୩ଟି ଯାକ କୃଷି ଆଇନର ବିଲ୍କୁ ବିଧାନସଭାରେ ଚିରୁଛି। ଏଥିସହ ବ୍ରିଟିଶରଙ୍କ ଠାରୁ କେନ୍ଦ୍ର ସରକାର ଅଧିକ ନିର୍ଦ୍ଦୟ ନ ହେବାକୁ ନିବେଦନ କରୁଛି।କରୋନା ମହାମାରୀ ସମୟରେ ଏଭଳି ଆଇନ ପାରିତ କରିବାର କ’ଣ ଆବଶ୍ୟକତା ଥିଲା ।ବର୍ତ୍ତମାନ ପ୍ରତିଟି ଚାଷୀ ଭଗତ ସିଂହ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ବିଲ୍‌ ଦ୍ୱାରା ଚାଷୀଙ୍କ ଜମି କେହି ବି ନେଇ ପାରିବେ ନାହିଁ। ଏହା କ’ଣ ଗୋଟିଏ ଫାଇଦା?

ବିଧାନସଭା ଭିତରେ କେଜ୍ରିୱାଲ କହିଥିଲେ କି ଏଭଳି ଆଚରଣ କରିବା ପାଇଁ ଆମକୁ କଷ୍ଟ ହେଉଛି ହେଲେ ଦେଶର ଅନ୍ନଦାତା ଏଭଳି ଥଣ୍ଡା ସମୟରେ ସଡକ ଉପରେ ୨୨ ଦିନ ହେବ ବସିଛନ୍ତି ତାହା ବି ଆମକୁ କଷ୍ଟ ଦେଉଛି । ଏହା ସହିତ ସେ କହିଥିଲେ କି ବର୍ତମାନ ଯାଏ ଆନ୍ଦୋଳନରତ କୃଷକ ମାନଙ୍କ ମଧ୍ୟରୁ ୨୦ ରୁ ଅଧିକ କୃଷକ ଧାରଣା ସ୍ଥଳରେ ମୃତ୍ୟୁବରଣ କରିସାରିଲେଣି । ଆଉ କେତେ କୃଷକଙ୍କ ଜୀବନ ନେବା ପରେ କେନ୍ଦ୍ରସରକାର କୃଷକ ମାନଙ୍କ ଦାବି ଶୁଣିବେ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।

ଏହାସହ କେଜ୍ରିୱାଲ ୧୯୦୭ ମସିହାର ଆନ୍ଦୋଳନ ପଗଡି ସମ୍ଭାଲ ଜଟା ବିଷୟରେ ମଧ୍ୟ କହିଥିଲେ । ଏହି ଆନ୍ଦୋଳନ ଇଂରେଜ ମାନଙ୍କ ବିରୋଧରେ ୯ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହି ଆନ୍ଦୋଳନର ନେତୃତ୍ୱ ଭଗତ ସିଂଙ୍କ ପିତା ଓ ତାଙ୍କର ଦାଦା ନେଇଥିଲେ । ସେହି ସମୟରେ ଇଂରେଜ ସରକାର ବି କହିଥିଲେ ଏହି ଆଇନରେ କିଛିଟା ପରିବର୍ତ୍ତନ କରିଦେବୁ । ହେଲେ କୃଷକ ମାନେ ଜିଦ ଧରିଥିଲେ କି ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରାଯାଉ । ଆଜି ଦେଶ ଇଂରେଜ ମାନଙ୍କ ଠାରୁ ମୂୁକ୍ତି ପାଇଛି । ହେଲେ ଏବେର ସରକାର ଇଂରେଜ ମାନଙ୍କ ଭଳି ସମାନ ଢଙ୍ଗରେ କୃଷକ ମାନଙ୍କ ସହିତ ଲଢୁଥିବା କେଜ୍ରିୱାଲ କହିଛନ୍ତି। ତେବେ କେବଳ କେଜ୍ରିୱାଲ ନୁହନ୍ତି, ବିଧାନସଭାରେ ଥିବା କିଛି ଆପ୍‌ ବିଧାୟକ ଓ ମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାର ଜାରି କରିଥିବା କୃଷି ଆଇନର କପିକୁ ଚିରି ଫୋପାଡ଼ି ଦେଇଛନ୍ତି।