Odia News Portal

ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍ ପାଇଁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍ର ବ୍ୟବସ୍ଥା କରିବା ପାଇଁ ତରୁନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୧ଟି ପିଏସଏ ପ୍ଲାଂଟ ସ୍ଥାପନ ହେଉଥିବା ବେଳେ ଏଭଳି ଆହୁରି ୧୫ଟି ଜିଲ୍ଲାରେ ୧୯ଟି ପିଏସଏ ପ୍ଲାଂଟ ସ୍ଥାପନା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢ଼େଇ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ମୁକାବିଲା ପାଇଁ ବଳିଷ୍ଠ ପଦକ୍ଷେପ ନେବା ତଥା ରାଜ୍ୟ ଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଆହ୍ୱାନ କରିଛନ୍ତି । ସେହିପରି ଓଡ଼ିଶାରେ କୋଭିଡ୍ ପ୍ରସ୍ତୁତି ଓ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ମାସରେ ଜନସ୍ୱାସ୍ଥ୍ୟ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତ ବର୍ଷରେ ପିଏମ କେୟାର୍ସ ଫଣ୍ଡରୁ ୫୫୧ ସମର୍ପିତ ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ରତିଷ୍ଠା ପାଇଁ ଜରୁରୀକାଳୀନ ମଞ୍ଜୁରୀ ଦେଇଥିଲେ । ପୂର୍ବରୁ ମଧ୍ୟ ଅତିରିକ୍ତ ୧୬୨ ପିଏସଏ ପ୍ଲା୍ଂଟ୍ ସ୍ଥାପନା ପାଇଁ ଆବଂଟନ କରିଥିଲେ । ତନ୍ମଧ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ୨୧ଟି ପିଏସଏ ପ୍ଲାଂଟ୍ ସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରୁ ଡ଼ିଆରଡ଼ିଓ ଦ୍ୱାରା ୭ଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ୭ଟି ଏବଂ ଭାରତ ସରକାରଙ୍କ ପିଏମ କେୟାର୍ସ ଫଣ୍ଡରୁ ୭ଟି ପିଏସଏ ପ୍ଲାଂଟ୍ ପ୍ରତିଷ୍ଠା ହେବା ପାଇଁ ନିଷ୍ପତି ନିଆଯାଇଥିଲା ।