Odia News Portal

ପାନୀୟ ଜଳ ପ୍ରକଳ୍ପକୁ ନେଇ ସୌମ୍ୟ-ପ୍ରତାପ ମୁହାଁମୁହିଁ

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଜବାବ୍ ରଖିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ବିଧାନସଭା ଗୃହରେ ଉଠିଲା ରାଜ୍ୟ ବାହାର ଠିକାଦାରଙ୍କୁ ପାନୀୟ ଜଳ ପ୍ରକଳ୍ପ ଦେବା ପ୍ରସଙ୍ଗ । ଗୃହରେ ଏନେଇ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ବିଧାୟକ କହିଛନ୍ତି, ଓଡିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ଅଛନ୍ତି | ହେଲେ ଓଡିଶାରେ ହେଉଥିବା ପ୍ରକଳ୍ପ ଗୁଡିକରେ ସେମାନଙ୍କୁ କାମ କରିବାର ସୁଯୋଗ ମିଳୁ ନାହିଁ । ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କମ୍ପାନୀକୁ କାମ ଦିଆଯାଉଛି | ସ୍ଥାନୀୟ ଓଡ଼ିଆ ଠିକାଦାରମାନେ କାମ ପାଉ ନାହାନ୍ତି ବୋଲି ଉଦବେଗ ପ୍ରକାଶ କରିଛନ୍ତି ଖଣ୍ଡପଡା ବିଧାୟକ ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମେଗା ଜଳ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ଜଟିଳ କରାଯାଇଛି । ସ୍ଥାନୀୟ ଲୋକ କେମିତି କାର୍ଯ୍ୟ ନପାଇ ବାହାର ସଂସ୍ଥା ଠିକା ପାଇବ ସେହି ଯୋଜନା କରୁଛନ୍ତି ରାଜ୍ୟ ସରକାର ।ତେବେ ଏହାର ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟରେ ଏବେ ୯୦ଟି ମେଗା ପ୍ରକଳ୍ପ ଚାଲୁ ରହିଛି । ୬୯ଟି ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବ ରହିଛି । ଜଙ୍ଗଲରେ ହେଉ କି କେଉଁ ଦୁର୍ଗମ ଅଞ୍ଚଳରେ ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।