Odia News Portal

ରାଜ୍ୟରେ ଇ-ଯାନ ନୀତି କେବେ ?

ଚାହିଁଛନ୍ତି ଗ୍ରାହକ ।


ଭୁବନେଶ୍ୱର : ପେଟ୍ରୋଲ ଦର ବୃଦ୍ଧିରେ ଲୋକେ ଆକ୍ତାବାକ୍ତା ହେଉଥିବାବେଳେ ଏଥିରୁ ରକ୍ଷା ପାଇବାପାଇଁ ଲୋକେ ଏବେ ଇଲେକଟ୍ରିକ ଗାଡି ମୁହାଁ ହେଉଛନ୍ତି । ହେଲେ ରାଜ୍ୟ ସରକାର ଏହି ଇ-ଯାନ ଉପରେ କି ପ୍ରକାର ସୁବିଧା ସୁଯୋଗ ତାହା ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବାରୁ ଲୋକେ ସରକାରଙ୍କୁ ଅନାଇ ବସିଛନ୍ତି ।

ତେଲ ଦର ଆକାଶଛୁଆଁ ହେବାପରେ ଦୁଇଚକିଆ ଗାଡିଚାଳକମାନେ ଧିରେ ଧିରେ ବ୍ୟାଟେରୀଚାଳିତ ଦୁଇ ଚକିଆ ଇ-ଯାନ ଆଡକୁ ଆକର୍ଷିତ ହେବାରେ ଲାଗିଛନ୍ତି । ଗାଡି କମ୍ପାନୀଗୁଡିକ ମଧ୍ୟ ଓଡିଶାରେ ଗୋଟିଏ ପରେ ଗୋଟିଏ ସୋ ରୁମ୍‌ ଖୋଲୁଛନ୍ତି । ହେଲେ ଗାଡିର ଦର ସାମାନ୍ୟ ଅଧିକ ରହିବା ପସନ୍ଦର ଗାଡି ଉପରେ ପଞ୍ଜିକରଣ ଆଦି ଦର ମିଶି ଆହୁରି ବଢୁଥିବାରୁ ଲୋକେ ପଛଘୁଞ୍ଚା ଦେଉଛନ୍ତି । ଅନ୍ୟ ପକ୍ଷରେ ପରିବେଶ ପ୍ରଦୂଷଣ କରୁନଥିବା ଏହି ଗାଡି କିଣିବାକୁ କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ବୁଝାଉଛନ୍ତି ।

ତେବେ ଦିଲ୍ଲୀ ସରକାର ଯେଭଳି ଇ-ଯାନ ଖରିଦରେ ରେଜିଷ୍ଟ୍ରେସନ ଛାଡ ସହିତ ସବ୍‌ସିଡ୍‌ ଯୋଗାଇ ଦେଉଛନ୍ତି ଅନୁରୂପ ନୀତି ଘୋଷଣା ପାଇଁ ଓଡିଶା ସରକାର ଯୋଜନା କରିଛନ୍ତି । ବିଳମ୍ବରେ ହେଲେ ବି ଏ ସଂକ୍ରାନ୍ତରେ ଲୋକଙ୍କ ମତାମତ ଲୋଡା ଯାଇଥିଲା । ଲୋକେ କି ମତ ଦେଲେ ସେ ସଂକ୍ରାନ୍ତରେ କିଛି ଜଣାପଡିନଥିଲେ ବି ଏ ସଂକ୍ରାନ୍ତୀୟ ଫାଇଲଟି ଏବେ ଲୋକସେବା ଭବନରେ ଘୂରି ବୁଲୁଛି । ସରକାରୀ ମୋହର ଲାଗିବାପରେ ଏହି ନୀତି ଘୋଷଣା ହେବ । ଏହା ଘୋଷଣା ହେଲେ ଗ୍ରାହକମାନେ ଦୁଇ ଚକିଆରୁ ୪ଚକିଆ ଯାନ ପର୍ଯ୍ୟନ୍ତ ଗାଡି ଗୁଡିକରେ ୫ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତୀୟ ଫାଇଲ୍‌ଟି ଏବେ ଅର୍ଥ ବିଭାଗରେ ପଡିଛି । କାରଣ ସରକାର ପଞ୍ଜିକରଣ ଟିକସ ଛାଡ କଲେ ସରକାରଙ୍କୁ କେତେ ଅର୍ଥ ବହନ କରିବାକୁ ପଡିବ ଓ ଅର୍ଥନୀତି ଉପରେ ଏହାର କି ପ୍ରକାର ପ୍ରଭାବ ପଡିବ ତାହା ଉପରେ ବିଚାର ଆଲୋଚନା ଚାଲିଛି । ତେବେ ଯେତେଶୀଘ୍ର ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ନିଆଯିବ ସେତେ ମଙ୍ଗଳ ବୋଲି ଗାଡି ବିକ୍ରେତାଙ୍କ ଠାରୁ ଆରମ୍ଭ କରି ଗ୍ରାହକମାନେ କହୁଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ ଏବେ ଅନେକ ନାମୀ ଦାମୀ କମ୍ପାନୀର ଇ-ବାଇକ୍‌ ବିକ୍ରୟ କେନ୍ଦ୍ର ଖୋଲିଥିବବେଳେ ଏମାନଙ୍କର ଦର ବି ଭିନ୍ନ ଭିନ୍ନ ରହିଛି । ବର୍ତ୍ତମାନ ସାଧାରଣ ଲୋକେ ଇ-ବାଇକ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବାରୁ ରାଜ୍ୟ ପରିବହନ ବିଭାଗ ଏହା ଉପରେ ନଜର ରଖିବା ଜରୁରୀ ହୋଇପଡିଛି ଏବଂ ପ୍ରତ୍ୟେକ ଇ-ଯାନ ବିକ୍ରେତାଙ୍କୁ ଡାକି ସେମାନଙ୍କ ସହିତ ଆଲୋଚନା କରିବା ଆବଶ୍ୟକ । ସେହିଭଳି ରାଜ୍ୟ ସରକାର କାଳ ବିଳମ୍ବ ନକରି ତୁରନ୍ତ ଇ-ଯାନ ନୀତି ଘୋଷଣା କରିବା ଆବଶ୍ୟକ ବୋଲି ମଧ୍ୟ ମତପ୍ରକାଶ ପାଉଛି ।