Odia News Portal

ଟିଏମସି ନେତାଙ୍କ ଘରେ ଇଭିଏମ୍, ଭିଭିପାଟ୍

କୋଲକାତା : ନିର୍ବାଚନ ଜିଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ରଣକୌଶଳ ଆପଣାଯାଉଛି । ହେଲେ ଅତି ଶସ୍ତା ରାଜନୀତି ଭାରତୀୟ ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । କିଛି ଦିନ ତଳେ ଆସାମରେ ଜନୈକ ବିଜେପି ନେତାଙ୍କ ଗାଡ଼ିରୁ ଇଭିଏମ୍‌ ମେସିନ୍‌ ଜବତ ହେବା ପରେ ଆଜି (ମଙ୍ଗଳବାର) ପଶ୍ଚିମବଙ୍ଗର ଜନୈକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାଙ୍କ ଘରୁ ଚାରିଟି ଇଭିଏମ୍‌ ଏବଂ ଚାରିଟି ଭିଭିପାଟ୍ ଜବତ ହୋଇଛି।

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ କର୍ମୀଙ୍କ ଘରକୁ ୪ଟି ଇଭିଏମ ଓ ସାମାନ ସଂଖ୍ୟ ଭିଭିପ୍ୟାଟ ମେସିନ ମିଳିବା ଘଟଣାରେ ବିଧିବଦ୍ଧ ଭାବେ ଏଫଆଇଆର ରୁଜୁ କରାଯାଇଛି। ଉଲୁବେରିଆ ଉତ୍ତର ନିର୍ବାଚନ ମଣ୍ଡଳୀର ତୁଳସୀବେରିଆ ଗାଁରେ ଏହି ଘଟଣା ଘଟିଥିଲା। ଘଟଣା ସାମ୍ନାକୁ ଆସିବା ପରେ ନିର୍ବାଚନ କମିଶନ ହାୱଡା ଜିଲ୍ଲାର ଜଣେ ସେକ୍ଟର ଅଫିସରଙ୍କୁ ନିଲମ୍ବିତ କରିଥିଲେ। ନିର୍ବାଚନ କମିଶନ କହିଛନ୍ତି ଯେ ଠାବ ହୋଇଥିବା ଇଭିଏମ ଓ ଭିଭିପ୍ୟାଟ ମେସିନଗୁଡ଼ିକ ସଂରକ୍ଷିତ ହୋଇ ରହିଥିଲା। ଟିଏମସି କର୍ମୀଙ୍କ ଘରୁ ଏହା ମିଳିବାରୁ ଏଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇଛି।

ସେହିପରି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ ଘଟଣାରେ ସାମିଲ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।ଆଜି ବେଙ୍ଗଲରେ ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ଭୋଟିଂ ହେଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଉଲୁବେରିଆ ଉତ୍ତରର ସେକ୍ଟର ୧୭ର ଅଫିସର ତପନ ସରକାର ଇଭିଏମ ମେସିନଗୁଡ଼ିକ ଧରି ତାଙ୍କ ସମ୍ପର୍କୀୟଙ୍କ ଘରେ ରାତିରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସମ୍ପର୍କୀୟ ହେଉଛନ୍ତି ଗୌତମ ଘୋଷ। ଗୌତମ ଘୋଷ ଟିଏମସି କର୍ମୀ ହୋଇଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ନିୟମ ଅନୁସାର, ଇଭିଏମ ଓ ଭିଭିପ୍ୟାଟ ଗୁଡ଼ିକ କେବଳ ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସ୍ଥାନ ଗୁଡ଼ିକରେ ରଖାଯିବା କଥା। ହେଲେ ତପନ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ କିଛି ପୁଲିସ୍‌ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏବେ ଏଫଆଇଆର ରୁଜୁ ହେବା ପରେ ତପନ ସରକାରଙ୍କ ଅଡ଼ୁଆ ବଢ଼ିଛି।