Odia News Portal

ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ପ୍ରଶାନ୍ତ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ପରଲୋକ ହୋଇଛି ।

୪୭ବର୍ଷୀୟ ପ୍ରଶାନ୍ତ ଜଣେ ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍‌ ରେଫରୀ ଥିଲେ । ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ କରୋନାରେ ଆକ୍ରାନ୍ତ ହୋଇ ପରଲୋକ ହୋଇଯାଇଛି । ୧୯୪୩ ମସିହା ମାର୍ଚ୍ଚ ୨୪ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାପାତ୍ର ପ୍ରସ୍ତର କାରୁକାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ ୧୯୬୪ରେ ସେ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ରଘୁନାଥଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।