Odia News Portal

ଫେବୃଆରୀ 3 ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ତାଲିକାଭୁକ୍ତ ହେବାକୁ ସୁଯୋଗ

ଭୁବନେଶ୍ୱର () : କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକା ଜାନୁଆରୀ ୨୫ ତାରିଖରୁ ପ୍ରକାଶିତ ହୋଇଅଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଓ ଭୂମିହୀନ କୃଷି ଶ୍ରମିକମାନଙ୍କ ପ୍ରଥମ ପର୍ଯ୍ୟାୟ ଚିଠା ତାଲିକା ଜାନୁଆରୀ ୨୫ ତାରିଖରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ କୃଷି ସମବାୟ ସମିତି ଓ ପ୍ରମୁଖ ସ୍ଥାନମାନଙ୍କରେ ପ୍ରଦର୍ଶିତ ହୋଇଛି ଏବଂ ଏହା ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ।
କ୍ଷୁଦ୍ର ଓ ନାମମାତ୍ର ଚାଷୀ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ତାଲିକା ଦୁଇ ଭାଗରେ ବିଭକ୍ତ । ଗୋଟିଏ ହେଉଛି ଭାଗ ‘କ’ ଓ ଭାଗ ‘ଖ’ । ପ୍ରଥମ ପର୍ଯ୍ୟାୟରେ ଯେଉଁ ହିତାଧିକାରୀମାନେ ସବୁଜ ଫର୍ମରେ ଆବେଦନ କରିଥିଲେ ସେମାନଙ୍କର ନାମ ଭାଗ ‘କ’ ଓ ଯେଉଁ ହିତାଧିକାରୀମାନଙ୍କ ନାମ, ପିତାଙ୍କ ନାମ, ସମ୍ପୂର୍ଣ୍ଣ ଠିକଣା, ଆଧାର ନମ୍ବର ଏବଂ ବ୍ୟାଙ୍କ ଜମାଖାତାର ବିବରଣୀ ସଠିକ୍ ନଥିବ ସେମାନଙ୍କ ନାମ ଭାଗ ‘ଖ’ରେ ଉପଲବ୍ଧ ।
ଭାଗ ‘ଖ’ରେ ପ୍ରକାଶିତ ହିତାଧିକାରୀମାନେ କାଳିଆ ଯୋଜନାର ନିଜ ନାମକୁ ଯୋଡ଼ିବା ପାଇଁ ସବୁଜ ଫର୍ମ ପୂରଣ କରି ସେଥିରେ ଅସମ୍ପୂର୍ଣ୍ଣ ଥିବା କାଗଜପତ୍ର ଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସବୁଜ ବାକ୍ସରେ ଫେବୃଆରୀ ୩ ତାରିଖ ମଧ୍ୟରେ ପକାଇବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଚିଠା ତାଲିକାରୁ ନାମ ବାଦ ଦେବା ବା ଅଭିଯୋଗ କରିବା ପାଇଁ ନାଲି ଫର୍ମ ପୂରଣ କରି ପଞ୍ଚାୟତରେ ଉପଲବ୍ଧ ନାଲି ବାକ୍ସରେ ଫେବୃଆରୀ ୩ ତାରିଖ ମଧ୍ୟରେ ପକାଇବେ । ଉଲ୍ଲେଖ ଥାଉ କି ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ବା ଅବସରପ୍ରାପ୍ତ କର୍ମଚାରୀ, ଆୟକର ଦେଉଥିବା ଚାଷୀ, ବଡ଼ ଚାଷୀ ଏବଂ ଏକା ପରିବାରର ସଦସ୍ୟ କାଳିଆ ଯୋଜନା ସହାୟତାରୁ ବଞ୍ଚିତ ହେବେ ।

କାଳିଆ ବାର୍ତ୍ତା : 

‘କାଳିଆ’ ବାର୍ତ୍ତା ହେଉଛି ରାଜ୍ୟ ସରକାରଙ୍କର ‘କାଳିଆ ଯୋଜନା’ ସୂଚନା ସମ୍ବନ୍ଧୀୟ ଏକ ଅଭିନବ ସେବା, ଯାହାକି ନୂତନ ଭାବେ ଶୁଭାରମ୍ଭ କରାଯାଇ ଯୋଜନା ସଂପର୍କରେ କୃଷକମାନଙ୍କୁ ଅବଗତ କରାଇଥାଏ । ଆଜି ସୁଦ୍ଧା ଏହି ସୂଚନା ପ୍ରକ୍ରିୟାରେ ୭.୦୭ ଲକ୍ଷ କୃଷକ ଯୋଗଦାନ କରିପାରିଛନ୍ତି ।
‘କାଳିଆ’ ଯୋଜନା ବିଷୟରେ ଜାଣିବା ପାଇଁ ୯୫ ଲକ୍ଷ ୧୧ ହଜାରରୁ ଅଧିକ ଏସ୍.ଏମ୍.ଏସ୍. ଲୋକମାନଙ୍କୁ ପଠାଇ ଦିଆଯାଇଛି ଏବଂ ଆଜି ସୁଦ୍ଧା ୮୬ ଲକ୍ଷ ୫୯ ହଜାର ଲୋକ ‘କାଳିଆ ୱେବସାଇଟ୍’କୁ ବ୍ୟବହାର କରି ଏହି ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିପାରିଛନ୍ତି ।
ଏହା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା କାଳିଆ ଯୋଜନା ସମ୍ବନ୍ଧୀୟ ଏକ ସୂଚନା ପ୍ରଦାନର ବ୍ୟବସ୍ଥା । କୌଣସି ଚାଷୀ / ବ୍ୟକ୍ତି ୦୮୦୬୧୧୭୪୨୨୨ନମ୍ବରକୁ ମିସ୍ କଲ କଲେ ତାଙ୍କର ମୋବାଇଲ ଫୋନକୁ ଆପେ ଆପେ କାଳିଆ ଯୋଜନା ସଂପର୍କରେ ବିଭିନ୍ନ ସୂଚନା ଏସ୍.ଏମ୍.ଏସ୍. ପଠାଯାଏ ।