Odia News Portal

ଖାତା ଖୋଲିଲା ହାଇଦ୍ରାବାଦ

.ଖଲିଲଙ୍କ ଦମଦାର ବୋଲିଂ, ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ
.୯ ୱିକେଟରେ ହାରିଲା ପଞ୍ଜାବ

ଚେନ୍ନାଇ : କ୍ରମାଗତ ୩ ମ୍ୟାଚରେ ପରାଜୟ ପରେ ସନରାଇଜର୍ସ ହାଇଦ୍ରାବାଦ ବିଜୟଧାରାକୁ ଫେରିଛି । ବୋଲରଙ୍କ ଦମଦାର ପ୍ରଦର୍ଶନ ସହ ବ୍ୟାଟ୍ସମ୍ୟାନଙ୍କ ଦର୍ଶନ ବଳରେ ହାଇଦ୍ରାବାଦ ଆଜି ପଞ୍ଜାବକୁ ୯ ୱିକେଟରେ ପରାସ୍ତ କରିବା ସହ ପଏଣ୍ଟଟେବୁଲ୍ରେ ଖାତା ଖୋଲିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନୈରାଶ୍ୟଜନକ ବ୍ୟାଟିଂ କରି ୧୨୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ହାଇଦ୍ରାବାଦ ୧ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା ।

୧୨୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ଦୁଇ ଓପନର ଡେଭିଡ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ପ୍ରଥମ ୱିକେଟ ପାଇଁ ୭୩ ରନ୍ ଯୋଗ କରି ବିଜୟ ଆଶା ଉଜ୍ଜୀବୀତ କରିଥିଲେ । ୱାର୍ଣ୍ଣର ବ୍ୟକ୍ତିଗତ ୩୭ ରନ୍ କରି ଆଉଟ୍ ହୋଇଥିଲେ । ସେ ୩୭ ବଲରୁ ୩ ଚୌକା, ୧ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ । ବେୟାରଷ୍ଟୋ ୫୬ ବଲରୁ ୬୩ ରନ୍ ଓ ୱିଲିୟମସନ୍ ୧୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ସନରାଇଜର୍ସ ବୋଲରଙ୍କ ଆଗରେ ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। କ୍ୟାପଟେନ୍ ଲୋକେଶ ରାହୁଲଙ୍କଠାରୁ ଆରମ୍ଭ କରି କ୍ରିସ୍ ଗେଲ୍, ମୟଙ୍କ ଅଗ୍ରୱାଲ୍ ଓ ନିକୋଲାସ୍ ପୁରନଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ଅନ୍ୟପକ୍ଷରେ ସନରାଇଜର୍ସର ପ୍ରାୟ ସବୁ ବୋଲର ଶୃଙ୍ଖଳିତ ପ୍ରଦର୍ଶନ କରି ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କୁ ରନ୍ କରିବାରେ ରୋକିଥିଲେ।ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଖୋଦ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ (୪) ଆରମ୍ଭରୁ ୱିକେଟ୍ ଦେଇ ବସିଥିଲେ। ପ୍ରତିପକ୍ଷ ଦଳର ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କ ଧିମା ବୋଲିଂକୁ ବୁଝି ନପାରି ରାହୁଲ୍ କେଦାର ଯାଦବଙ୍କୁ କ୍ୟାଚ ଦେଇ ବସିଥିଲେ।ଏହା ପରେ ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ମୟଙ୍କ ୨୨ ରନ୍ କରିଥିବା ବେଳେ ଖଲୀଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲାସ ପୂରନ୍ ଆସୁ ଆସୁ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଗେଲ୍ (୧୫)ଙ୍କ ମୂଲ୍ୟବାନ ୱିକେଟ୍ ନେଇ ରଶିଦ୍ ଖାନ୍ ହାଇଦ୍ରାବାଦକୁ ବଡ଼ ସଫଳତା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଦୀପକ ହୁଡ୍ଡା (୧୩) ମଧ୍ୟ କିଛି ଖାସ୍ କରିପାରିନଥିଲେ ଏବଂ ତାଙ୍କୁ ଅଭିଷେକ ଶର୍ମା ଆଉଟ୍ କରିଥିଲେ।


ଚଳିତ ସିଜନରେ ପ୍ରଥମଥର ସୁଯୋଗ ପାଇଥିବା ମୋଜେସ୍ ହେନରିକ୍ସ (୧୪) ଏହାର ଫାଇଦା ଉଠାଇପାରିନଥିଲା। ସେ ଅଭିଷେକଙ୍କ ବଲରେ ଷ୍ଟେପ୍ ଆଉଟ୍ କରିବାକୁ ଯାଇ ୱିକେଟକିପର ଜନ୍ନି ବେୟାରଷ୍ଟୋଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ କିଛି ସମୟ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଖଲୀଲ୍। ଶାହରୁଖ୍ ୧୭ ବଲରେ ୨ ଛକା ସହ ୨୨ ରନ୍ କରିଥିଲେ।ଶେଷକ୍ରମରେ ଫାବିଆନ ଆଲେନ୍ (୬), ମୁରୁଗାନ୍ ଅଶ୍ୱିନ୍ (୯) ଓ ମହମ୍ମଦ ଶାମି (୩) ଦୁଇ ଅଙ୍କ ଛୁଇଁପାରିନଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲୀଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ୨ଟି ୱିକେଟ୍ ହାସଲ କରିଥିଲେ। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ୍ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।