Odia News Portal

ଜାଣନ୍ତୁ ହାଇଦରର କ୍ରାଇମ୍ ଡାଏରୀ, ରିକ୍ସାବାଲାରୁ କେମିତି ବନିଲା ଗ୍ୟାଙ୍ଗଷ୍ଟାର

ଭୁବନେଶ୍ୱର: ରିକ୍ସା ଚାଳକରୁ ହାଇଦର ବନିଛି ଗ୍ୟାଙ୍ଗଷ୍ଟାର । କେନ୍ଦ୍ରାପଡ଼ା ସହରରେ ରହି ପରିବାର ପ୍ରତିପୋଷଣ କରୁଥିଲା ହାଇଦର । ପରେ ସେ ଟ୍ରେକର ମଧ୍ୟ ଚଳାଉଥିଲା । ତେବେ ପରବର୍ତ୍ତୀ ସମୟରେ ଗ୍ୟାଷ୍ଟାର ଟିଟୋ ଓ ସୁଲେମାନ ସହ ମିଶି ଅପରାଧ ଦୁନିଆରେ ପାଦ ଥାପିଥିଲା ହାଇଦର । ଏହାପରେ ସେ ଆଉ ପଛକୁ ଫେରିନାହିଁ । ତେବେ ଅପରାଧ ଦୁନିଆରେ ସେ ଥିଲା ବେତାଜ ବାଦଶାହା । ଅନେକ ମର୍ଡର, ରାହାଜାନି,କିଡନାପିଂ ଭଳି ମାମଲାରେ ଫସି ରହୁଥିଲା ହାଇଦର । କେସ କରିବା ଓ ବେଲ ହୋଇ ଆସିବା ତାର ଥିଲା ନିତିଦିନିଆ କାମ ।

ଗ୍ୟାଙ୍ଗଷ୍ଟାର ଟିଟୋ ଏବଂ ସୁଲେମାନ ମଧ୍ୟରେ ଚାଲିଥିଲା ଗ୍ୟାଙ୍ଗୱାର । ତେବେ ସେ ୨୦୦୫ ମସିହା ମେ ୩୧ରେ ଗ୍ୟାଙ୍ଗଷ୍ଟାର ସୁଲେମାନର ଭାଇ ସେକ ଚୁନାକୁ ମର୍ଡର କରିବା ପରେ ଅଧିକ ଚର୍ଚ୍ଚାକୁ ଆସିଥିଲା । ଏହି ମାମଲାରେ ଭୁବନେଶ୍ୱର ଜିଲ୍ଲା ଜଜକୋର୍ଟ ତାକୁ ଆଜିବନ କାରାଦଣ୍ଡ ଶୁଣାଇ ଥିଲେ ।

୨୦୦୭ ମସିହାରେ ଭୁବନେଶ୍ୱର ସହିଦନଗର ଅଞ୍ଚଳର ବିଶିଷ୍ଟ ଖଣି ମାଲିକ ରଶ୍ଚିରଞ୍ଜନଙ୍କୁ ଅପହରଣ କରିଥିଲା । ଫେରାଇବା ଲାଗି ପରିବାରକୁ ମାଗିଥିଲା ୨ କୋଟି ଟଙ୍କା । ପରିବାର ଲୋକେ ୧ କୋଟି ଦେବା ଲାଗି ରାଜି ହେବା ପରେ ମଧ୍ୟ ହତ୍ୟା କରିଥିଲା । ଜାମସେଦପୁର ଅଞ୍ଚଳରୁ ମୃତଦେହ ଜବତ କରାଯାଇଥିଲା । ପରେ ପରେ ହାଇଦର ନାମରେ ରୁଜୁ ହୋଇଥିଲା ମାମଲା । ୨୦୧୪ ମସିହାରେ ଜେଲରୁ ପାରୋଲରେ ଆସିଥିଲା ହାଇଦର । ପରେ ପୁଣିଥରେ ସେ ଜେଲକୁ ଫେରିଥିଲା ।

୨୦୧୭ ମସିହାରେ ଯେତେବେଳେ କୁଖ୍ୟାତ ଅପରାଧୀ ଧଳ ସାମନ୍ତ ଦୁଇ ଭାଇଙ୍କୁ ଝାରପଡ଼ା ଜେଲକୁ ଅଣାଯାଇଥିଲା । ସେତେବେଳେ ହାଇଦରକୁ ସମ୍ବଲପୁର ଜେଲକୁ ପଠାଯାଇଥିଲା । ତେବେ ଚିକିତ୍ସା ଲାଗି କଟକ ଏସିସିବି ମେଡିକାଲକୁ ହାଇଦରକୁ ଅଣାଯାଇଥିବା ବେଳେ ସେଠାରୁ ଚାଲାକ କରି ଫେରାର ହୋଇଯାଉଥିଲା । ପରେ ତେଲେଙ୍ଗାନାରୁ ହାଇଦରକୁ ପୁଣିଥରେ ଧରାଯାଇଥିଲା । ଆଉ ଆଜି କଟକ ଚୌଦ୍ୱାରରୁ ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ହାଇଦର ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି ।