Odia News Portal

ଦିଲ୍ଲୀ ବିମାନ ବନ୍ଦରର ଶୌଚାଳୟରୁ ୪ଟି ସୁନା ବିସ୍କୁଟ୍‌ ଉଦ୍ଧାର

ଆଜି ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗୋଟାଏ ଆନ୍ତର୍ଜାତିକ ବିମାନର ଶୌଚାଳୟରୁ କଷ୍ଟମ୍‌ ଅଧିକାରୀମାନେ ୪ଟି ସୁନା ବିସ୍କୁଟ୍‌ ଉଦ୍ଧାର କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ପ୍ରାପ୍ତ ସୂଚନା ଓ ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ (ଆଇଜିଆଇ) କଷ୍ଟମ୍‌ ଅଧିକାରୀମାନଙ୍କଠାରୁ ଆହୁରି ଅଧିକ ସୂଚନାକୁ ଆଧାର କରି ଆନ୍ତର୍ଜାତିକ ଉଡ଼ାଣ ପାଇଁ ବ୍ୟବହାର କରାଯାଉଥିବା ଗୋଟାଏ ବିମାନକୁ ଅଚାନକ ଯାଞ୍ଚ କରାଯାଇଥିଲା। ଅବଶ୍ୟ ଏହା ପୂର୍ବରୁ ବିମାନଟି ‘ଆଇଜିଆଇ’ର ୨ ନମ୍ବର ଟର୍ମିନାଲ୍‌ରେ ତା’ର ଅଭ୍ୟନ୍ତରୀଣ ଉଡ଼ାଣ (ଦେଶ ମଧ୍ୟରେ ଥିବା ବିଭିନ୍ନ ସ୍ଥାନକୁ ଉଡ଼ାଣ) ଶେଷ କରିସାରିଥିଲା।

ଯାଞ୍ଚ ବେଳେ କଷ୍ଟମ୍‌ ଅଧିକାରୀମାନେ ୱାସ୍‌ରୁମ୍‌ରେ ଲାଗିଥିବା ‘ସିଙ୍କ୍‌’ ତଳେ ଅଠାପଟିରେ ଲଗାଯାଇଥିବା ଗୋଟାଏ ଧୂସର ପାଉଚ୍‌ ପାଇଥିଲେ। ସେଥିରୁ ପ୍ରାୟ ୩୯୬୯ ଗ୍ରାମ୍‌ ଓଜନର ୪ଟି ଆୟତାକାର ସୁନା ବିସ୍କୁଟ୍‌ ଉଦ୍ଧାର କରାଯାଇଛି।

ଏହି ସୁନା ବିସ୍କୁଟ୍‌ ଚାରିଟିର ଆନୁମାନିକ ମୂଲ୍ୟ ୧,୯୫,୭୨,୪୦୦ ଟଙ୍କା ହେବ ବୋଲି ଜାରି କରାଯାଇଥିବା ବିବୃତିରେ କୁହାଯାଇଛି।