Odia News Portal

ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌: ୮୯ ଆସନରେ ମୋଟ ୭୮୮ ପ୍ରାର୍ଥୀ

ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ୮୯ ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ । ଅବଶିଷ୍ଟ ୯୩ ଆସନରେ ଆସନ୍ତା ୫ରେ ଦ୍ୱିତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଦଳର ମୋଟ ୭୮୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏମାନଙ୍କ ମଧ୍ୟରେ ୩୩୯ ଜଣ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ । ପୁନଶ୍ଚ ପ୍ରଥମ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୭୦ ଜଣ ମହିଳା ପ୍ରାର୍ଥୀ ସାମିଲ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୧୩୬୨ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ପ୍ରାର୍ଥିପତ୍ର ଯାଞ୍ଚ୍‌ପରେ ୭୮୮ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଅନ୍ୟତମ । ଘାତ୍‌ଲୋଦିଆ ଆସନରୁ ଭୂପେନ୍ଦ୍ର ଏବଂ ଜାମନଗର ନର୍ଥରୁ ରିଭାବା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ପର୍ଯ୍ୟାୟ ପାଇଁ କଂଗ୍ରେସ ଓ କ୍ଷମତାସୀନ ବିଜେପି ସମସ୍ତ ୮୯ ଆସନରେ ପ୍ରାର୍ଥୀ ଛିଡା କରିଥିବାବେଳେ ଆପ୍ ୮୮, ବହୁଜନ ସମାଜ ପାର୍ଟି ୫୭ ଏବଂ ଏଆଇଏମ୍‌ଆଇଏମ୍ ୬ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଗୁଜରାଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨,୩୯,୭୬,୬୭୦ ଜଣ ଭୋଟର ମତଦାନ କରିବାକୁ ଯାଉଥିବାବେଳେ ଏମାନଙ୍କ ମଧ୍ୟରେ ୫.୭୪ ଲକ୍ଷ ନୂଆ ଭୋଟର ଅଛନ୍ତି । ଅପରପକ୍ଷରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ଗୁଜରାଟ ପୁଲିସ ବିଭିନ୍ନ ସ୍ଥାନରୁ ୨୯୦ କୋଟି ଟଙ୍କାର ନଦଗ ଟଙ୍କା, ମଦ ଓ ଡ୍ରଗ୍‌ସ ଜବତ କରିଥିବା ଜଣାପଡିଛି ।