Odia News Portal

ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସହ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ପ୍ରଥମେ BPUT କ୍ୟାମ୍ପସ ପରିସରରେ ନିର୍ମିତ ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଡିୟମ କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍‌ ନିର୍ମାଣ କାମ ଶେଷ କରିବା ଲକ୍ଷ୍ୟ ରହିଛି। ୨୦୨୩ ପୁରୁଷ ହକି ବିଶ୍ୱକପ୍‌କୁ ଆୟୋଜନ କରିବ ଓଡିଶା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାରେ ଖେଳାଯିବ ମ୍ୟାଚ। ଏହା ଦେଶର ସର୍ବବୃହତ ହକି ଷ୍ଟାଡିୟମ ହେବ। ଷ୍ଟାଡିୟମରେ ଆଇଏଚଏଫ ନିର୍ଦ୍ଧାରିତ ମାନରେ ଟର୍ଫ ବିଛାଯିବ। ଏଠାରେ ୨୦ହଜାର ଦର୍ଶକ ବସି ଖେଳ ଦେଖିବାର କ୍ଷମତା ରହିବ। ଏହା ପରେ ରାଜ୍ୟ ସରକାରଙ୍କ 5T ଅଧିନରେ ସ୍କୁଲ ରୂପାନ୍ତରଣ ଅଧିନରେ ସୁନ୍ଦରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିଲେ।

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ର ୬୭ଟି ସ୍କୁଲର ରୂପାନ୍ତରଣ କରାଯାଇଛି। ଆଗକୁ ୧୦୦ ସ୍କୁଲର ରୂପାନ୍ତରଣ ନେଇ କାର୍ଯ୍ୟ ଜାରି ରହିଛି। ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ରାଉରକେଲାର ଉଦିତ ନଗର ହାଇସ୍କୁଲ ବୁଲି ଦେଖିବା ସହ ସ୍ମାର୍ଟ କ୍ଲାସ୍‌ରୁମ, ଇ-ଲାଇବ୍ରେରୀ, ଅତ୍ୟାନୁଧିକ ବିଜ୍ଞାନାଗାର, ଖେଳପଡ଼ିଆ ଓ ଅନ୍ୟ ଭିତ୍ତିଭୂମିକୁ ବୁଲି ଦେଖିଥିଲେ। ପରେ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ କୋଲ୍‌ଡ ଷ୍ଟୋରେଜ ବୁଲି ଦେଖିବା ସହ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ମହିଳାଙ୍କ ଦ୍ୱାରା ଅଣପାରମ୍ପାରିକ ଓ ଆଧୁନିକ ପଦକ୍ଷେପକୁ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପ୍ରଶଂସା କରିଥିଲେ।

ରାଉରକେଲା ସ୍ମାର୍ଟ ସିଟି ଅଧିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ରାଉରକେଲା ୱାନ ପ୍ରୋଜେକ୍‌ଟ, ଟ୍ରାଫିକ କମାଣ୍ଡ ସେଣ୍ଟର, ପ୍ରସ୍ତାବିତ ଜନଜାତି ସଂଗ୍ରହାଳୟ, କନ୍‌ଭେନ୍‌ସନ ହଲ୍‌, ମାର୍କେଟ କଂପ୍ଲେକ୍ସ ଆଦି ନିର୍ମାଣ ଚାଲିଛି। ହକି ବିଶ୍ୱକପ୍‌ ପୂର୍ବରୁ ଅନ୍ତର୍ଜାତୀୟ ପର୍ଯ୍ୟଟକ ଓ କ୍ରୀଡାବିତଙ୍କୁ ଆକୃଷ୍ଟ କରିବାକୁ ରାସ୍ତା ନିର୍ମାଣ ଓ ସହରର ସୌନ୍ଦର୍ଯ୍ୟକରଣ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ମୁଖ୍ୟ ସଚିବ ଓ 5T ସଚିବଙ୍କ ସହ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଉପସ୍ଥିତ ଥିଲେ।