Odia News Portal

ଆଜିଠୁ କ୍ରିକେଟ୍ ମହାକୁମ୍ଭ, ଇଂଲଣ୍ଡ – ଦକ୍ଷିଣ ଆଫ୍ରିକା ଉଦଘାଟନୀ ମୁକାବିଲା

ଲଣ୍ଡନ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍‌ । ଇଂଲଣ୍ଡ ଓ ୱେଲ୍ସ ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ଆୟୋଜକ ରହିଛନ୍ତି । ଆସନ୍ତାକାଲି ଉଦ୍‌ଘାଟନୀ ମୁକାବିଲା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।

ସମୟ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି । ଗୁରୁବାର ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଯିବ ବିଶ୍ୱ କ୍ରିକେଟର ମହାପର୍ବ । ଏଥର ବିଶ୍ୱକପ୍‌ରେ ମୋଟ୍‌ ୧୦ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଦଳ ଗୁଡ଼ିକ ହେଲେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌ ଓ ଆଫଗାନିସ୍ତାନ । ନୂଆ ଫର୍ମାଟ୍‌ ଅନୁସାରେ ପ୍ରତ୍ୟେକ ଦଳ ପରସ୍ପରକୁ ଥରୁଟିଏ ଲେଖାଏଁ ଭେଟିବେ ।

ପରେ ଶ୍ରେଷ୍ଠ ୪ ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ । ତେଣୁ ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୪୮ଟି ମ୍ୟାଚ୍‌ ଖେଳାଯିବ । ଚଳିତ ସଂସ୍କରଣକୁ ମିଶାଇ ଇଂଲଣ୍ଡ ମୋଟ୍‌ ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଆୟୋଜନ କରୁଛି । ମାତ୍ର ଘରୋଇ ଦଳ ଏ ପର୍ଯ୍ୟନ୍ତ ବିଶ୍ୱ ଚାମ୍ପିଅନ ହେବାର ସ୍ୱପ୍ନ ସାକାର କରି ପାରି ନାହିଁ । ପୂର୍ବରୁ ୧୯୭୫ , ୧୯୭୯, ୧୯୮୩ ଓ ୧୯୯୯ ମସିହାରେ ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜିତ ହୋଇଥିଲା । ସବୁ ଦଳ ବିଶ୍ୱ ଚାମ୍ପିଅନ ହେବା ନେଇ କ୍ରିକେଟ୍‌ ରଣାଙ୍ଗନରେ ଉପନୀତ ହୋଇଛନ୍ତି । ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ ଭଳି ଦଳକୁ ଏଥର ଟାଇଟଲ ଦାବିଦାର ବୋଲି ବିବେଚନା କରାଯାଉଛି । ମାତ୍ର ଏହି ଦାବିଦାରଙ୍କ ତାଲିକାରେ ଘରୋଇ ଦଳ ଆଗରେ ରହିଛି ।

ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ଚାମ୍ପିଅନ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ୍‌ ଓ ଭାରତ ୨ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ସେହିପରି ଶ୍ରୀଲଙ୍କା ଓ ପାକିସ୍ତାନ ଥରୁଟିଏ ଲେଖାଏଁ ଟାଇଟଲ ଜିତିଛନ୍ତି ।