Odia News Portal

ପ୍ରକାଶ ପାଇଲା ଆଇସିସି ଦିନିକିଆ ମାନ୍ୟତା, ଜାଣନ୍ତୁ ଭାରତୀୟ ଖେଳାଳୀଙ୍କ କେଉଁ ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲଙ୍କ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାରେ ଧାୱନ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଚହଲ ୨୦ତମ ସ୍ଥାନକୁ ଉଠିଥିବାବେଳେ ଯଶପ୍ରୀତ୍ ବୁମରାଙ୍କ ଷଷ୍ଠ ସ୍ଥାନ ଅପରିବର୍ତ୍ତିତ ରହିଛି ।

ଘରୋଇ ଶ୍ରୀଲଙ୍କା ବିପକ୍ଷ ଚଳିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଧାୱନ ଅପରାଜିତ ୮୬ରନ୍ କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ବ୍ୟାଟିଂ ମାନ୍ୟତା ତାଲିକାରେ ୨ଟି ସ୍ଥାନ ଉନ୍ନତି ଘଟାଇ ୧୬ତମ ସ୍ଥାନରେ ପହଞ୍ଚିଛନ୍ତି । ପାକିସ୍ତାନର ବାବର ଆଜମ (୮୭୩ ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ କୋହଲି (୮୪୮ ପଏଣ୍ଟ) ଦ୍ୱିତୀୟ ଓ ରୋହିତ (୮୧୭ ପଏଣ୍ଟ) ତୃତୀୟ ସ୍ଥାନରେ ରହିଛନ୍ତି ।

ବୋଲିଂ ତାଲିକାରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୩୭ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଆଫଗାନିସ୍ତାନର ମୁଜିବ ଉର ରେହମାନ (୭୦୮) ଓ ଇଂଲଣ୍ଡର କ୍ରିସ୍ ୱକ୍ସ (୭୦୦) ଗୋଟିଏ ଲେଖାଏଁ ସ୍ଥାନ ଉଠି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ସ୍ପିନର ଚହଲ ୪ଟି ସ୍ଥାନ ଉନ୍ନତି ଘଟାଇ ୨୦ତମ ସ୍ଥାନ ଅଧିକାର କରିଛନ୍ତି ।