Odia News Portal

ଚେନ୍ନାଇୟିନକୁ ହରାଇ ଏଟିକେ ଜିତିଲା କ୍ରମାଗତ ଦ୍ଵିତୀୟ ମ୍ୟାଚ

ଚେନ୍ନାଇ : ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଦଳ ଚେନ୍ନାଇୟିନ ଏଫସିକୁ ୧-୦ ଗୋଲରେ ହରାଇ ଏଟିକେ ଏଫସି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ବିଜୟୀ ଦଳ ପକ୍ଷରୁ ବିଜୟ ସୂଚକ ଏକମାତ୍ର ଗୋଲ ଦ୍ଵିତୀୟାର୍ଦ୍ଧ ପ୍ରାରମ୍ଭରେ ଡେଭିଡ ୱିଲିଅମ୍ସ ସ୍କୋର କରିଥିଲେ ।

ଏହି ବିଜୟ ସହିତ ଦୁଇ ଥରର ଚାମ୍ପିଅନ ଏଟିକେ ୩ଟି ମ୍ୟାଚରୁ ଛଅ ପଏଣ୍ଟ ପାଇ ଜାମସେଦପୁର ଏଫସି ସହିତ ଟେବୁଲ ଶୀର୍ଷରେ ଯୋଗ ଦେଇଛି । ଅନ୍ୟ ପକ୍ଷରେ ଚଳିତ ସିଜନରେ ପ୍ରଥମ ବିଜୟ ପାଇଁ ବ୍ୟଗ୍ର ଥିବା ଦୁଇ ଥରର ଟାଇଟଲ ବିଜେତା ଚେନ୍ନାଇୟିନ ଏଫସିର ଉଦ୍ୟମ ପୁନର୍ବାର ବ୍ୟର୍ଥ ହୋଇଛି ।

ଚେନ୍ନାଇୟିନ ଏଫସି ଏହା ପୂର୍ବରୁ ତାର ପ୍ରଥମ ମ୍ୟାଚରେ ଏଫସି ଗୋଆ ଠାରୁ ୦-୩ ଗୋଲରେ ହାରିବା ପରେ ମୁମ୍ବାଇ ସିଟି ଏଫସି ସହିତ ଦ୍ଵିତୀୟ ମ୍ୟାଚ ଗୋଲଶୁନ୍ୟ ଭାବେ ଡ୍ର କରିଥିଲା । ଅନ୍ୟ ପକ୍ଷରେ ଏଟିକେ ତାର ପୂର୍ବ ମ୍ୟାଚରେ ହାଇଦରାବାଦ ଏଫସିକୁ ୫-୦ ଗୋଲରେ ଧରାଶାୟୀ କରିଥିଲା ।

ଆଜି ଖେଳର ପ୍ରଥମାର୍ଦ୍ଧରେ ଚେନ୍ନାଇୟିନ ଅଧିକ ସମୟ ବଲ ନିଜ ପାଖରେ ରଖିଥିବା ବେଳେ ଏଟିକେ ପ୍ରତ୍ୟାକ୍ରମଣ ଜରିଆରେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା । ତେବେ ଗୋଲ ଦେବାର ପ୍ରଥମ ସୁଯୋଗ ତୃତୀୟ ମିନିଟରେ ମିଳିଥିଲା ଘରୋଇ ଚେନ୍ନାଇୟିନ ଦଳକୁ । ଏଡ଼ୱିନ ଭାନ୍ସପଲଙ୍କ କ୍ରସ ପାସ ଉପରେ ନେରିଯାସ ଭାଲସ୍କିସ ଗୋଲପୋଷ୍ଟ ଆଡକୁ ଜୋରଦାର ହେଡ଼ କରିଥିଲେ । କିନ୍ତୁ ବଲ ଅଳ୍ପକେ ବାର ଉପର ଦେଇ ଚାଲି ଯାଇଥିଲା ।

ଚତୁର୍ଦ୍ଦଶ ମିନିଟରେ ଏଟିକେ ଗୋଟିଏ ସୁନ୍ଦର ସୁଯୋଗ ବ୍ୟର୍ଥ ହୋଇଥିଲା । ରାୟ କ୍ରିଷ୍ଣା ବଲ ନେଇ ଚେନ୍ନାଇୟିନ ବକ୍ସ ଭିତରେ ପ୍ରବେଶ କରିବା ପରେ ତାଙ୍କୁ ନେରିଯାସ ଭାଲସ୍କିସ ତଳେ ପକାଇ ଦେଇଥିଲେ । ଏହି ଫାଉଲ ପାଇଁ ଏଟିକେ ଖେଳାଳିମାନେ ପେନାଲଟି କିକ ପାଇବାକୁ ଆବେଦନ କରିଥିଲେ । କିନ୍ତୁ ରେଫରୀ ରକ୍ତିମ ସାହା ତାହାକୁ ନାକଚ କରିଦେଇଥିଲେ ।

ଡେଭିଡ ୱିଲିଅମ୍ସ ୪୮ତମ ମିନିଟରେ ମ୍ୟାଚର ପ୍ରଥମ ଗୋଲ ଦେଇ ଏଟିକେ ଦଳକୁ ଅଗ୍ରଣୀ କରିଥିଲେ । ପ୍ରବୀର ଦାସଙ୍କ କ୍ରସ ଉପରେ ଜାଭିଅର ହର୍ନାଣ୍ଡେଜ ମାରିଥିବା ସଟକୁ ଚେନ୍ନାଇୟିନ ଗୋଲରକ୍ଷକ ବିଶାଳ କାଇଥ ଅଟକାଇବାକୁ ଚେଷ୍ଟା କରିଥିଲେ । ବଲ ରିବାଉଣ୍ଡ ହୋଇ ଫେରି ଆସୁଥିବା ବେଳେ ୱିଲିଅମ୍ସ ତାହାକୁ ନେଟ ଭିତରକୁ ପଠାଇ ଦେଇଥିଲେ । ହିରୋ ଇଣ୍ଡିଆନ ସୁପର ଲିଗରେ ଏହା ଥିଲା ସହସ୍ରତମ ଗୋଲ ।

ଚେନ୍ନାଇୟିନ ଏଫସି ଏହାପରେ ଲଢୁଆ ଖେଳ ପ୍ରଦର୍ଶନ କରି ଏକାଧିକ ସୁଯୋଗ ସୃଷ୍ଟି କରିବା ସତ୍ତ୍ୱେ ଗୋଲ ସୁଝାଇବାକୁ ସମର୍ଥ ହୋଇନଥିଲା । ଆଜିର ଖେଳରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମାଇକେଲ ସୁସାଇରାଜଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ଡେଭିଡ ୱିଲିଅମ୍ସଙ୍କୁ  ପ୍ରଦାନ କରାଯାଇଥିଲା । ସେହିପରି ଲାଲିଆନଜୁଆଲା ଛାଙ୍ଗଟେ ଆଇସଏଲ ଏମରଜିଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ ।