Odia News Portal

ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି

*ଅଜିତ୍‌ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର |

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକାରୀଙ୍କ ସୂଚନା ମୁତାବକ ପିପିଲି ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ମେ ୧୮ ତାରିଖ ସୁଦ୍ଧା ଶେଷ ହେବ । ଏପ୍ରିଲ ୨୬ ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ, ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ଏହାସହ ଏପ୍ରିଲ ୨୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଏହାପରେ ମେ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ମେ’ ୧୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ହୋଇଥିବାରୁ କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ହେବ।

କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ଏହାପରେ ଆଜି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ମେ’ ୧୩ ତାରିଖରେ ନିର୍ବାଚନ ହେବ । ଏହାପରେ ୧୬ ତାରିଖରେ ହେବ ଭୋଟ୍‌ ଗଣତି । ତେବେ ଅଜିତ୍‌ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।