Odia News Portal

୧୫ରୁ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ଭାରତ ଓ ଫ୍ରାନ୍ସର ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଯାଉଛି । ବନ୍ଦର ନଗରୀ ଫ୍ରେଜସଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ । ବିଶେଷକରି ଆତଙ୍କବାଦ ମୁକାବିଲା ଅଭିଯାନକୁ ଏହି ଅଭ୍ୟାସ ସମୟରେ ଅଧିକ ଗୁରୁତ୍ୱ ଦିଆଯିବ । ଏହା ଚଳିତ ନଭେମ୍ବର ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁଇଦେଶର ସାମରିକ ବାହିନୀ ମଧ୍ୟରେ ବର୍ଦ୍ଧିତ ସାମରିକ ସହଯୋଗ ଏବଂ ପରସ୍ପର ପରସ୍ପରର ରଣକୌଶଳ ସମ୍ପର୍କରେ ଅବଗତ ହେବା ଏହି ଅଭ୍ୟାସର ଉଦ୍ଦେଶ୍ୟ ବୋଲି ଜଣାଯାଇଛି । ଏହି ସାମରିକ ଅଭ୍ୟାସରେ ଭାରତର ଭାରତର ଗୋର୍ଖା ରାଇଫଲ୍ସ ଇନଫାଣ୍ଟ୍ରି ବାଟାଲିଅନର ଗୋଟିଏ ପ୍ଲାଟୁନ ଏବଂ ଫ୍ରାନ୍ସର ୨୧ତମ ମେରାଇନ ଇନଫାଣ୍ଟ୍ରି ରେଜିମେଣ୍ଟର ୬ଷ୍ଠ ଲାଇଟ ଆର୍ମର୍ଡ ବ୍ରିଗେଡ ଯବାନମାନେ ସାମିଲ ହେବେ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ସମରାଭ୍ୟାସର ନାମ ‘ଶକ୍ତି’ ରଖାଯାଇଛି ଏବଂ ପ୍ରତି ଦୁଇବର୍ଷରେ ଥରେ ଭାରତ ଅଥବା ଫ୍ରାନ୍ସରେ ଆୟୋଜିତ ହେଉଛି । ଏହାପୂର୍ବରୁ ୨୦୧୯ରେ ‘ଶକ୍ତି’ ସମରାଭ୍ୟାସ ଭାରତର ରାଜସ୍ଥାନରେ ଆୟୋଜିତ ହୋଇଥିଲା ।