Odia News Portal

ଦିନକରେ ୧୦୦୦ ମୁଣ୍ଡ ନେଲା କରୋନା

*୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ |

ନୂଆଦିଲ୍ଲୀ: ସାରାଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି ରହିଛି । ପୁଣି ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ପ୍ରାଣ ହରାଇଛନ୍ତି ୧ ହଜାର ୨୭ ଜଣ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧ ଲକ୍ଷ ୮୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ଗତକାଲି ମୃତ୍ୟୁ ସଂଖ୍ୟା ୮୭୯ ଥିଲା । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ପାର୍ କରିଛି । ଏତତ୍ ବ୍ୟତୀତ ମୋଟ୍ ଆକ୍ଟିଭ କେସ୍ ରହିଛି ୧୩ ଲକ୍ଷ ୬୫ ହଜାର, ୫୦୪ ଓ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୨ ହଜାର ଟପିଛି ।

ସେହିପରି ୧ କୋଟି ୨୩ ଲକ୍ଷ ୩୬ ହଜାର ୩୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କରୋନାର ସଂକ୍ରମଣ ରୋକିବାକୁ ଟିକାକରଣକୁ ଜୋରଦାର କରାଯାଇଛି । ଦେଶରେ ଟିକା ଉତ୍ସବ ଜାରି ରହିଛି । ତେଣୁ ସାରା ଦେଶରେ ମୋଟ୍ ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି । କୋଭିଡ ସ୍ଥିତିକୁ ନଜରରେ ରଖି ମହାରାଷ୍ଟ୍ରରେ ଆଜିଠୁ ୧୫ ଦିନ ଧରି ୧୪୪ ଧାରା ଜାରି କରାଯାଇଛି । ସେହିପରି ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଉଟ୍ କର୍ଫ୍ୟୁ ମଧ୍ୟ ଲାଗୁହୋଇଛି।