Odia News Portal

ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଭୂମିରେ ବି ଦେଖାଯାଏ ଭାରତ

ଭାରତ ସହ ଜଡିତ ଅନେକ ଆଶ୍ଚର୍ଯ୍ୟକର ଜିନିଷ ରହିଛି ଯାହା ଦେଶର ଗୌରବକୁ ବଢ଼ାଇଥାଏ। ଭାରତରେ ଏକ ଏମିତି ସ୍ଥାନ ରହିଛି, ଯେଉଁଠି ଆପଣଙ୍କୁ ଭୂମିରେ ବି ଭାରତ ଦେଖାଯିବ। କଣ ଦ୍ୱନ୍ଦ୍ୱରେ ପଡୁଛନ୍ତି କି ଭୂମିରେ କେମିତି ଭାରତ ଦେଖାଯିବ? ହଁ ଆଜ୍ଞା ଏହି କଥା ବିଲକୁଲ ସତ। ଅସାମର ଏକ ଏମିତି ସ୍ଥାନ ଅଛି ଯେଉଁଠି ଭୂମିରେ ଆପଣଙ୍କୁ ଭାରତର ନକ୍ସା ଦେଖିବାକୁ ମିଳିବ।

ଏହି ଯାଗାର ଭୌଗଳିକ ନକ୍ସା ଭାରତର ନକ୍ସା ସହ ଅବିକଳ ଦେଖିବାକୁ। ଆସାମର ବୋଙ୍ଗାଇଗାଁ ସହରରେ ଦୁଇଟି ନଦୀର ସଙ୍ଗମ ହୋଇଛି ବ୍ରହ୍ମପୁତ୍ର ଏବଂ ଚମ୍ପାବତୀ। ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁ ଯାଗାରେ ଏହି ନଦୀର ସଙ୍ଗମ ହୋଇଛି, ସେହି ଯାଗାର ଭୂଖଣ୍ଡ ଏମିତି ହୋଇଛି, ଯାହା ଦେଖିବାକୁ ବିଲକୁଲ ଭାରତର ନକ୍ସା ଭଳି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବୋଙ୍ଗାଇଗାଁ ସହର ଗ୍ଵାହାଟୀ ଠାରୁ ପ୍ରାୟ ୧୮୦ କିଲୋମିଟର ଦୂରରେ ରହିଛି। ଏହି ସହରରେ ବାଗେଶ୍ୱରୀ ମନ୍ଦିର, ରକ କଟ ଗୁମ୍ଫା ଭଳି ଅନେକ ପ୍ରସିଦ୍ଧ ଜିନିଷ ରହିଛି। କିନ୍ତୁ ସବୁଠାରୁ ଖାସ୍‌ କଥା ହେଉଛି ସେହି ଯାଗା ଅବିକଳ ଭାବେ ଆପଣଙ୍କୁ ଭାରତର ମାନଚିତ୍ର ଭଳି ହିଁ ଦିଶିବ। ସୋସିଆଲ ମିଡିଆରେ ତ ଭାରତର ନକ୍ସା ଥିବା ଏହି ଭୂଖଣ୍ଡର ଫଟୋ ବହୁତ ଭାଇରାଲ ହେଉଛି। ଆପଣ ବି ଥରେ ଯଦି ଏହି ଯାଗାର ଚିତ୍ର ଦେଖିବେନା ବିଶ୍ୱାସ କରନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଭୂଖଣ୍ଡର ତଳ ଭାଗ ଭାରତୀୟ ଉପଦ୍ୱୀପ ଭଳି ଲାଗୁଛି। ସେହିପରି ଭୂମିର ଉପର ଭାଗ ପାହାଡ ମଧ୍ୟରେ ନଜର ଆସୁଛି। ଯାହା ହିମାଳୟ ପର୍ବତ ଭଳି ଲାଗୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ ବର୍ଷ ଏହି ଫଟୋକୁ ଗ୍ରୀନବେଲ୍ଟ ଏବଂ ରୋଡ ଇଷ୍ଟିଚ୍ୟୁଟର ପ୍ରେସିଡେଣ୍ଟ ଏରିକ ସୋଳହେମ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ। ଯାହାକୁ ଦେଖି ସାରା ଦୁନିଆର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାହିଁକିନା ଏହା ବିଲକୁଲ ଭାରତ ଭଳି ଦେଖିବାକୁ। ସବୁଠାରୁ ଖାସ୍‌ କଥା ହେଉଛି ସେ ଏହାକୁ ‘ଅତୁଲ୍ୟ ଭାରତ’ କହିଲେ ଏବଂ ଖୁବ୍‌ ପ୍ରଶଂସା କରିଥିଲେ। ସେ ସେୟାର କରିଥିବା ଫଟୋକୁ ଅନେକ ଲୋକ ସୁନ୍ଦର କହୁଥିବାବେଳେ ନିଜକୁ ଭାରତୀୟ ବୋଲି ଗୋରବାନ୍ଵିତ ଅନୁଭବ କରୁଛନ୍ତି।