Odia News Portal

ଅକ୍ଷରଙ୍କ ସ୍ପିନ୍ ଯାଦୁରେ ଆଣ୍ଠେଇଲା ଇଂଲଣ୍ଡ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ଇଂନିସ ଶେଷ ସୁଦ୍ଧା ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ପ୍ରଥମ ଇଂନିସରେ ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଭାରତର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଅକ୍ଷର ପଟେଲଙ୍କ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ ଭାରତ ପକ୍ଷରୁ ସର୍ବାଧିକ ୬ଟି ୱିକେଟ ନେଇଛନ୍ତି ଅକ୍ଷର ।ଇଂଲଣ୍ଡ ଦଳ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲି ସର୍ବାଧିକ ୫୩ ରନର ଇନିଂସ ଖେଳିଛନ୍ତି।

ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତୃତୀୟ ଓଭରରେ ୨ ରନ ସ୍କୋରରେ ଇଂଲଣ୍ଡ ଦଳକୁ ଲାଗିଥିଲା ପ୍ରଥମ ଝଟକା । ଡୋମିନିକ୍ ସିବଲି ଖାତା ଖୋଲିବା ପୂର୍ବରୁ ଜୀବନର ଶହେ ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଶର୍ମାଙ୍କ ବଲ୍‌ରେ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ମଧ୍ୟ କୌଣସି ରନ କରି ପାରିନଥିଲେ । ସେ ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ୨୭ ରନରେ ୨ଟି ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଜୋ ରୁଟ୍ ଓ ଜ୍ୟାକ୍ କ୍ରାଉଲି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ୪୭ ରନ ଯୋଡିଥିଲେ। ହେଲେ ଜୋ ରୁଟ୍‌(୧୭ ରନ)ଙ୍କୁ ଆଉଟ୍ କରି ରବି ଚନ୍ଦ୍ରନ ଅଶ୍ଵିନ ଭାରତକୁ ବହୁତ ବଡ ସଫଳତା ଦେଇଥିଲେ।

ରୁଟ୍‌ଙ୍କ ଆଉଟ୍ ପରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅକ୍ଷର ପଟେଲ ଶାଣିତ ବୋଲିଂ କରି ଭ୍ରମଣକାରୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଅନ୍ୟପଟେ ଭଲ ବ୍ୟାଟିଂ କରୁଥିବା କ୍ରାଉଲି ପଞ୍ଚମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୮୪ ବଲରୁ ୧୦ ଚୌକା ସହ ୫୩ ରନ କରି କ୍ରାଉଲି ଅକ୍ଷର ପଟେଲଙ୍କ ଦ୍ଵିତୀୟ ଶିକାରହୋଇଥିଲେ। ଏହା ପରେ ବେନ ଷ୍ଟୋକ୍ସ(୬ ରନ) ଓ ଜୋଫ୍ରା ଆର୍ଚର(୧୧ ରନ) ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।

ଷ୍ଟୁଆର୍ଟ ବ୍ରଡ(୩ ରନ)ଙ୍କୁ ବୁମରାଙ୍କ ହାତରେ କ୍ୟାଚ୍ କରାଇ ଅକ୍ଷର ପଟେଲ୍ ପଞ୍ଚମ ଓ୍ଵିକେଟ୍ ପୂରଣ କରିଥିଲେ। ବେନ ଫୋକ୍ସ(୧୨ ରନ)ଙ୍କୁ କ୍ଲିନ ବୋଲ୍ଡ କର ଅକ୍ଷର ପଟେଲ ଇଂଲଣ୍ଡର ପ୍ରଥମ ଇନିଂସକୁ ୧୧୨ ରନରେ ସୀମିତ ରଖିଛନ୍ତି। ଇଂଲଣ୍ଡର ୭ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। କ୍ରମାଗତ ଦ୍ଵିତୀୟ ଟେଷ୍ଟରେ ଅକ୍ଷର ପଟେଲ୍ ୫ ଓ୍ଵିକେଟ୍ ହାସଲ କରିଛନ୍ତି। ଏହା ପୂର୍ବରୁ ଚେନ୍ନାଇରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ସେ ୫ ଓ୍ଵିକେଟ୍ ନେଇଥିଲେ। ଅକ୍ଷର ପଟେଲ୍ ୩୮ ରନ ଦେଇ ୬ ଓ୍ଵିକେଟ୍ ନେବା ସହ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଛନ୍ତି। ଅଶ୍ଵିନ ୨୫ ରନ ଦେଇ ୩ ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।