Odia News Portal

ଦ୍ବିତୀୟ ଟେଷ୍ଟ:ବାଂଲାଦେଶକୁ ୩ ଓ୍ବିକେଟରେ ହରାଇଲା ଭାରତ

ରବିଚନ୍ଦ୍ରନ ଅଶ୍ୱିନ ଓ ଶ୍ରେୟସ ଆୟରଙ୍କ ଲଢ଼ୁଆ ଇନିଂସ ବଳରେ ଭାରତ ଏଠାରେ ଖେଳାଯାଇଥିବା ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟରେ ବାଂଲାଦେଶକୁ ୩ ୱିକେଟରେ ହରାଇଛି । ଏହି ସଂଘର୍ଷପୂର୍ଣ୍ଣ ବିଜୟ ସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିଛି। ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ଭାରତ ବାଂଲାଦେଶର ମୂଳପୋଛ କରିଛି । ଏଥିସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲର ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ।

ଭାରତ ୧୪୫ ରନର ବିଜୟ ଲକ୍ଷ୍ୟ ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪୫ ରନରେ ୪ ୱିକେଟ୍ ହରାଇଥିଲା । ଭାରତକୁ ଆହୁରି ୧୦୦ ରନ୍ ଦରକାର ହେଉଥିଲା । ହେଲେ ଚତୁର୍ଥ ଦିନର ପ୍ରଥମ ୩୦ ମିନିଟ୍ ଖେଳ ଭିତରେ ଭାରତ ଶୀଘ୍ର ୩ ଓ୍ବିକେଟ୍ ହରାଇଥିଲା । ଭାରତ ୭୪ ରନରେ ୭ଟି ଓ୍ବିକେଟ୍ ହରାଇ ପରାଜୟ ଆଶଙ୍କାରେ ଥିଲା । ହେଲେ ଶ୍ରେୟାସ-ଅଶ୍ୱିନ ଅଷ୍ଟମ ୱିକେଟ୍ ପାଇଁ ଅଭିବକ୍ତ ୭୧ ରନ୍ ଯୋଡି ଭାରତର ବିଜୟ ନିଶ୍ଚିତ କରିଥିଲେ । ଅଶ୍ୱିନ୍ ୪୨ ରନ୍ ଓ ଆୟର ୨୯ ରନ୍ କରି ଅପରାଜିତ ରହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୩୪ ରନ୍, ନାଇଟ୍ ୱାଚମ୍ୟାନ୍ ଜୟଦେବ ଉନାଦକତ୍ ୧୩ ରନ୍, ରିଷଭ ପନ୍ତ ୯ ରନ୍ କରି ଆଉଟ୍ ହୋଇଥିଲେ । ବାଂଲାଦେଶ ପକ୍ଷରୁ ମେହେଦି ହସନ ମିରାଜ ୫ ୱିକେଟ୍ ନେଇଥିଲେ । ଅଶ୍ବିନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ପୂଜାରା ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।

ଦ୍ୱିତୀୟ ଇନିଂସରେ ବାଂଲାଦେଶ ୨୩୧ ରନ୍ ଆଉଟ୍ ହୋଇ ଭାରତକୁ ୧୪୫ ରନର ଟାର୍ଗେଟ ଦେଇଥିଲା। ଏହାପୂର୍ବରୁ ବାଂଲାଦେଶ ପ୍ରଥମ ଇନିଂସ ସ୍କୋର ୨୨୭ ରନ୍ ଜବାବରେ ଭାରତ ୩୧୪ ରନ୍ କରିଥିଲା । ଭାରତ ପ୍ରଥମ ଟେଷ୍ଟକୁ ୧୮୮ ରନରେ ଜିତିଥିଲା ।