Odia News Portal

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ

ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ। ଆଜି ସକାଳେ ଏନେଇ ମୁଖ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଷ୍ଟାଡିୟମରେ ହକି ବିଶ୍ୱକପ-୨୦୨୩ ଆୟୋଜିତ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ତେବେ ଏନେଇ ନିକଟରେ ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲାରେ ହକି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ସବୁ ବ୍ଲକ୍‌ରେ ସିନ୍ଥେଟିକ ଟର୍ଫ ବିଶିଷ୍ଟ ହକି ଷ୍ଟାଡିୟମ ନିର୍ମାଣ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ କହିଛନ୍ତି।

ତେବେ ଏହି ହକି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାର ପାୱାର ହାଉସ୍‌। ଏହି ଜିଲ୍ଲାରୁ ବହୁ ହକି ପ୍ରତିଭା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି। ଏଣୁ ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରରେ ହକି ଷ୍ଟାଡିୟମ ନିର୍ମାଣ କରାଯିବ।’