Odia News Portal

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

ଝାରସୁଗୁଡା ବିମାନ ବନ୍ଦରରେ ଦେଖାଦେଇଥିବା ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ବିମାନ ବନ୍ଦରର ନା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ୨୨ ତାରିଖରେ ଉଦଘାଟନ ଉତ୍ସବ ରେ ମଧ୍ୟ ବିମାନ ବନ୍ଦର ନାମକରଣ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଉଠାଇ ଥିଲେ। ହେଲେ ଏପର‌୍ୟ୍ୟନ୍ତ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କଲେ ନାହିଁ। ତୁରନ୍ତ ଏନେଇ ନିଷ୍ପତ୍ତି ନେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଏଥିସହ ଉଡାନ ଯୋଜନାରେ ସେବା ଆରମ୍ଭ କରିଥିବା ଏୟାର ଓଡିଶା ଗତ ୬ ତାରିଖରୁ ବିମାନ ସେବା ବାତିଲ କରିଛି। କୌଣସି ସନ୍ତୋଷଜନକ କାରଣ ନଦର୍ଶାଇ ସଂସ୍ଥା ସେବା ବାତିଲ କରିବା ଯୋଗୁଁ ରାଜ୍ୟର ବିମାନ ସେବାକୁ ଶକ୍ତ ଧକ୍କା ଲାଗିଛି। ଏଥିସହ ପଶ୍ଚିମ ଓଡିଶା ଲୋକଙ୍କ ଭାବାବେଗ କୁ ଆଘାତ ଦେଇଛି। ତୁରନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଓଡିଶା କୁ ନିର୍ଦ୍ଦେଶ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଝାରସୁଗୁଡାରୁ ରାଜ୍ୟର ଅନ୍ୟ ଅଞ୍ଚଳ ଓ ପଡୋଶୀ ରାଜ୍ୟକୁ ବିମାନ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ଏପରିକି ଭୁବନେଶ୍ୱର ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଭାୟା ଝାରସୁଗୁଡା ଦେଇ ଯିବା ପାଇଁ ଅନୁମତି ଦିଆଯାଉ ବୋଲି କହିଛନ୍ତି। ଏପରି ହେଲେ ପଶ୍ଚିମ ଓଡ଼ିଶାର ଲୋକେ ଉପକୄତ ହୋଇପାରିବେ।