Odia News Portal

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ

କଳାହାଣ୍ଡି : ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିଷ୍ଫୋରଣରେ ଆଖି ବୁଜି ଦେଇଥିଲେ । ସେହି ଖବର ଜିଲ୍ଲାରେ ବିଜୁଳି ବେଗରେ ପ୍ରଚାର ହେବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା । ବିଶେଷ କରି ସାମ୍ବାଦିକ ମହଲରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ନେଇ ଜିଲ୍ଲାର ସମସ୍ତ ସାମ୍ବାଦିକ ମର୍ମାହତ ହୋଇ ପଡିଥିଲେ । ଆଜି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୁହ ପକ୍ଷରୁ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି କାମନା କରି ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ଥାନୀୟ ଷ୍ଟେଚ୍ୟୁ ଛକରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ପର୍ୟ୍ୟନ୍ତ ଯାଇଥିଲା । ଜିଲ୍ଲା ସାମ୍ବାଦିକ ସମୁହର ଆହ୍ୱାନ କ୍ରମେ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତା ତଥା ଯୁବ ନେତା ଓ ଛାତ୍ର ନେତାମାନେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ଆଇନ୍ଜୀବୀ ଓ ସହରର ବୁଦ୍ଧୀଜୀବୀମାନେ ଏହି ଶୋକାକୁଳ ପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ ।
ରାଜ୍ୟ ସରକାର ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୩ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ତାକୁ ସମସ୍ତେ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସହିଦ୍ ମାନ୍ୟତା ଓ ୫୦ଲକ୍ଷ ଟଙ୍କା ଅନୁଦାନ ପରିବାରକୁ ଦିଆଯାଉ ବୋଲି ମତ ଦେଇଥିଲେ । ସୂଚନାଅନୁସାରେ ସ୍ୱର୍ଗତ ସାମ୍ବାଦିକ ରୋହିତ୍ ବିଶ୍ୱାଳଙ୍କ ବଡ ଝିଅ ଆଦର୍ଶ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଡୁଥିବା ବେଳେ ପୁଅ ୯ମ ଶ୍ରେଣୀରେ ପଡୁଥିବା ଜଣାଯାଇଛି । ସ୍ତ୍ରୀ ରୋଗୀଣା, ଘରେ ବୁଢି ମାଁ ରହୁଥିଲେ । ଆର୍ଥିକ ବୋଝକୁ ସମ୍ଭାଳିବା ସତ୍ତ୍ୱେ ନିଷ୍ଠାର ସହିତ ସାମ୍ବାଦିକତା ବୃତ୍ତି ପ୍ରତି ଅନାବିଳ ଆଗ୍ରହ ତାଙ୍କୁ ସବୁ ବେଳେ ବ୍ୟଥିତ କରୁଥିଲା । ତେଣୁ ମାଓ ପୋଷ୍ଟର ଲାଗିଥିବା ଶୂଣି ପୋଲିସ୍ ପହଞ୍ଚିବା ପୂର୍ବରୁ ସେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ବିଡମ୍ବନା ଏହିକି ଯ, ଖବର ସଂଗ୍ରହ ସମୟରେ ତାଙ୍କର ଅମୂଲ୍ୟ ଜୀବନକୁ ହରାଇଥିଲେ । ଆଜିର ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ କୁହାଯାଇଥିଲା ଯେ, ସହରର ବୁଦ୍ଧିଜୀବୀଙ୍କ ସମେତ ଏକ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଏବଂ ସାମ୍ବାଦିକ ସମୁହର ଜରିଆରେ ଏକ ଦାବୀ ପତ୍ର ସରକାରଙ୍କୁ ଦିଆଯିବା ପାଇଁ ସ୍ଥିର ହେଲା । ରୋହିତ୍ ବିଶ୍ୱାଳଙ୍କ ଦୁଇ ପୁଅ ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ ଏବଂ ପରିବାର ପାଇଁ ଆର୍ଥିକ ସହାୟତା, ଆଗାମୀ ସମୟରେ ପରିବାର ତରଫରୁ ଜଣଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦେବା ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଯୋଜନା କରିଥିଲେ ସତ୍ୟନ୍ ମହାପାତ୍ର, ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ସ୍ୱାଧୀନ ପାତ୍ର, ଶିକ୍ଷାବିତ୍ ଅଜୟ ମିଶ୍ର, ଆଇନଜୀବୀ ଛବିଲାଲ ନିଆଲ, ଅବିନାଶ ଠାକୁର, ପ୍ରଦୀପ ଦାସ (ବାପି), ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ, ରାଜୀବ ଲୋଚନ ଶତପଥୀ, ପରମାନନ୍ଦ ମାଝୀ, ଭଣ୍ଡେଶ୍ୱର ମହାପାତ୍ର ଏବଂ ଜିଲ୍ଲାର ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବଦିକ ତଥା ସନ୍ତୋଷ ସିଂ ଦେଓ, ଅଜିତ ସିଂ, ଦୁଃଖୀ ଶ୍ୟାମ ପ୍ରଧାନ, ଲକ୍ଷ୍ମଣ ସ୍ୱାଇଁ, ବିକାଶ ଷଡ଼ଙ୍ଗୀ, ସ୍ନିଗଦ୍ଧା ରାଣୀ ସିଂ, ହେମନ୍ତ ରାୟ, ଜୋଶବନ୍ତ ଧଙ୍ଗଡା ମାଝୀ, ଶିବ ନାଏକ, ଜଗନ୍ନାଥ ନାଏକ, ରଜତ ପଟ୍ଟନାୟକ, ଚିନ୍ମୟ ବେହେରା, ସଞ୍ଜୟ ନିଆଲ, ମହମ୍ମଦ ଫିରୋଜ, ଭଣ୍ଡେଶ୍ୱର ମହାପାତ୍ର, ମଧୁସୂଦନ ମହାପାତ୍ର, ଶିବ ନାଏକ, ଅମିୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ସମୁହର ଆବାହକ ରଜନୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।