Odia News Portal

କାଳିଆରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ: ଅରୁଣ

ଭୁବନେଶ୍ବର () କାଳିଆ ଯୋଜନାରେ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । କେହି ଜଣେ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଞ୍ଚିତ ହେବେ ନାହିଁ । ଏଥିସହିତ ପ୍ରସ୍ତୁତ ତାଲିକାରେ କେହି ଅଯୋଗ୍ୟ ହିତାଧିକାରୀ ଥିଲେ ଯାଞ୍ଚ କରାଯାଇ ସେମାନଙ୍କୁ ବାଦ ଦିଆଯିବ । ଏଥିପାଇଁ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଏକ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ହିତାଧିକାରୀ ଚୟନ ଦାୟିତ୍ବରେ ଥିବା ଅଧିକାରୀମାନେ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରକୁ ଆପଣେଇ ଏକ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସେଥିପାଇଁ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ସିଧାସଳଖ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଐତିହାସିକ ନିଷ୍ପତ୍ତି କାଳିଆ ଯୋଜନାରେ ହିତାଧିକାରୀ ଚୟନ କରିବା ଏକ ବଡ଼ ଆହ୍ବାନ ଥିଲା । ଏ ପର୍ଯ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାର, ଏହିପରି ମୋଟ ୫୧,୦୫,୨୯୦ ଜଣ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ତେବେ ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ହିତାଧିକାରୀଙ୍କ ସତ୍ୟାସତ୍ୟ ଗ୍ରାମପଞ୍ଚାୟତ, ବ୍ଲକ୍‌, ଜିଲ୍ଲାସ୍ତର କମିଟି ଦ୍ବାରା ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି । ଏଥି ସହିତ କେତେକ ଗ୍ରାମପଞ୍ଚାୟତ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାର ବହୁ କମ ସଂଖ୍ୟାରେ ଦରଖାସ୍ତ କରିଥିବାରୁ ଏ ଦିଗରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୃଷି ବିଭାଗ, ରାଜସ୍ବ ବିଭାଗ, ସମବାୟ ବିଭାଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଏବଂ ଅନ୍ୟ ସହଯୋଗୀ ବିଭାଗ ମଧ୍ୟରେ ସମନ୍ବୟ ରଖି ପ୍ରକୃତ ହିତାଧିକାରୀ ଚିହ୍ନଟ ଏବଂ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ଉପରେ ବୋଲି ମନ୍ତ୍ରୀ ଡ. ସାହୁ ଗୁରୁତ୍ବ ଦେଇଥିଲେ ।

ଏଥିସହିତ କାଳିଆ ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ସଠିକ୍‌ ଭାବରେ ବିନିଯୋଗ ହେଉଛି କି ନାହିଁ ସେ ଦିଗରେ କ୍ଷେତ୍ର ଅଧିକାରୀମାନେ ତଦାରଖ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଅଗଷ୍ଟ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ କାର୍ଯ୍ୟକ୍ରମ ଚାଲିବ ବୋଲି କହିଥିଲେ । କାଳିଆ ଯୋଜନାର ଆଗାମୀ ଦିନରେ ସୁଦୂର ପ୍ରଭାବ ପଡ଼ିବ ବୋଲି କହିବା ସହିତ ଅଣଋଣ ଚାଷୀଙ୍କ ବୀମା ସଂଖ୍ୟା ୨ ଲକ୍ଷରୁ ୮ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ଡ. ଗର୍ଗ କହିଥିଲେ ।