Odia News Portal

ସଙ୍କଟରେ ସ୍ବାମୀ ସରକାର

ବାଙ୍ଗାଳୁରୁ()  ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି।ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ବିଧାୟକ ଆସିନଥିଲେ। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗତକାଲି ଆମେରିକାରୁ ଫେରି ପୂରା ଘଟଣା ଉପରେ ତାଳି ପକାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଆଜି କଂଗ୍ରେସ ଓ ଜେଡିଏସର ସମସ୍ତ ମନ୍ତ୍ରୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଏସବୁ ଭିତରେ କର୍ଣ୍ଣାଟକରେ ନୂଆ କ୍ୟାବିନେଟ ପାଇଁ ସଜବାଜ ଚାଲିଥିବା ବେଳେ ଇସ୍ତଫା ଦେଇଥିବା ବିଧାୟକ ମୁମ୍ବାଇରେ ତାରକା ହୋଟେଲରେ ଦିନ କାଟୁଛନ୍ତି ।

ଆଜି କୁମାରସ୍ବାମୀଙ୍କ କ୍ୟାବିନେଟରେ ଥିବା କଂଗ୍ରେସର ୨୧ ଓ ଜେଡିଏସର ସମସ୍ତ ୧୧ ଜଣ ଯାକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଟ୍ବିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ନୂଆ କ୍ୟାବିନେଟ ଗଠନ କରି ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ପାଇଁ ଏଭଳି କରାଯାଉଥିବା ଅନୁମାନ କରାଯାଉଛି ।

ତେବେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ଉପରେ ଆଜି ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ବାଚସ୍ପତି ରମେଶ କୁମାର କହିଛନ୍ତି ଏଯାଏ କୌଣସି ଇସ୍ତଫା ଗ୍ରହଣ ହୋଇନି। ସମ୍ୱିଧାନର ନିୟମ ଅନୁଯାୟୀ ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଆଉ ଏପଟେ କର୍ଣ୍ଣାଟକ ସଙ୍କଟକୁ ନେଇ ଲୋକସଭାରେ ଝଡ଼ ଉଠିଛି । ଲୋକସଭାରେ କଂଗ୍ରେସ କ୍ୟାପଟେନ୍ ଅଧୀର ରଞ୍ଜନ ଚୌଧୁରୀ ସିଧାସିଧା ବିଜେପିକୁ ଆକ୍ଷେପ କରିବା ସହ ଏହା ମୋଦି ଓ ଶାହାଙ୍କ ଦ୍ବାରା ପ୍ରାୟୋଜିତ ନାଟକ ବୋଲି କହିଛନ୍ତି । ସେପେଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ବାଏଁ ବାଏଁ ଉଡାଇବା ସହ ରାହୁଲ ଗାନ୍ଧିଙ୍କ ଠାରୁ ହିଁ ଇସ୍ତଫା ନାଟକର ଶୁଭାରମ୍ଭ ହୋଇଥିବା କହିଛନ୍ତି ।