Odia News Portal

କଟକଣା ଭିତରେ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା ପର୍ଯ୍ୟଟକଙ୍କ ଗହଳି। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଟିକେଟ କରିବା ଅନିବାର୍ଯ୍ୟ ଥିବା ବେଳେ, ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ୍ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ଦୁଇ ପର୍ଯ୍ୟାୟରେ ପର୍ଯ୍ୟଟକମାନେ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକ ଏବଂ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ୧୦୦୦ ପର୍ଯ୍ୟଟକମାନେ ମନ୍ଦିରକୁ ଯାଇ ପାରିବେ। ଗୋଟିଏ ଦିନରେ ସର୍ବାଧିକ ୨୦୦୦ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଛି। ତେବେ ଏ ସମୟରେ ମନ୍ଦିରକୁ ଅନ୍ୟ କୌଣସି ସ୍ଥାନୀୟ ଜନସାଧାରଣ କିମ୍ବା ଗାଇଡ଼, ଫଟୋଗ୍ରାଫର କିମ୍ବା ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଭିତରକୁ ଛଡାଯିବ ନାହିଁ ବୋଲି ଜଣାପଡିଛି।