Odia News Portal

ଆରମ୍ଭ ହେଲା ବିଧାନସଭା: ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ

ଗତକାଲି ଠାରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗ‌ତ ନେତା, ଯବାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ପରଲୋକ ଗମନ କରିଥିବା ଆସୀନ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ୍, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକ୍, ଓଡ଼ିଶା ପୂର୍ବତନ ଓଏପିଏଫ୍/୩୫୩ ଲୋକନାଥ ଶବର, ରାୟଗଡ଼ାସ୍ଥିତ ଦ୍ବିତୀୟ ଆଇ.ଆର୍‌ ବାଟାଲିୟନ୍‌ର ପୂର୍ବତନ କନେଷ୍ଟବଳ ଲକ୍ଷ୍ମଣ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ (ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ପରେ ଦିବଙ୍ଗତ ନେତାଙ୍କ ସମ୍ମାନରେ ବାଚସ୍ପତି ଗୃହ କାର୍ଯ୍ୟକୁ ଶୁକ୍ରବାର ପୂର୍ବାହ୍ଣ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।