Odia News Portal

ଲୋକସେବାଭବନ କାର୍ଯ୍ୟର ମାନ ହ୍ରାସ ପାଇଁ ଷଡଯନ୍ତ୍ର

ଅନଭିଜ୍ଞଙ୍କୁ ପଦୋନ୍ନତି

ଭୁବନେଶ୍ୱର : ମାତ୍ର ଚାରି ବର୍ଷ ଚାକିରି କରିଥିବା ଯୁବ ଅଫିସରଙ୍କୁ ସେକ୍ସନ ଅଫିସର ପଦବୀରେ ବସାଇବାପାଇଁ ଗୃହ ବିଭାଗ ଉଦ୍ୟମ ଚଳାଇଥିବାବେଳେ ଲୋକସେବାଭବନର ଭବନର କାର୍ଯ୍ୟର ମାନ ହ୍ରାସପାଇବା ଆଶଙ୍କା ଉପୁଜିଛି । ଏଭଳି ଉପଦେଶ କିଏ ଦେଲା ଓ ଏଥିପାଇଁ କି ପ୍ରକାର ତର୍ଜମା ହୋଇଥିଲା ତାହାକୁ ନେଇ ଚର୍ଚ୍ଚା ।ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନରେ ୨୦ବର୍ଷରୁ ଅଧିକ କାର୍ଯ୍ୟ କରିବାପରେ କର୍ମଚାରୀଙ୍କୁ ଉପବିଭାଗ ଦାୟିତ୍ୱ ମିଳୁଥିଲା । ଏବେ ଆଇନ୍‌ରେ ପରିବର୍ତ୍ତନ କରାଯାଇଛି ।

ଏହି ଆଇନ୍‌ ଅନୁଯାୟୀ ୮ବର୍ଷର ଯୋଗ୍ୟତା ଥିବା କର୍ମଚାରୀଙ୍କୁ ଉପବିଭାଗ ଅଧିକାରୀ ପଦବୀକୁ ପଦୋନ୍ନତି ଦିଆଯାଇପାରିବ । ହେଲେ ଏବେ ଖାଲି ପଡିଥିବା ପଦବୀକୁ ପୂରଣର ବାହାନା କରି ୪ବର୍ଷ ଚାକିରି କରିଥିବା କର୍ମଚାରୀଙ୍କୁ ସେକ୍ସନ ଅଫିସର କରିବାପାଇଁ ଚାଲିଛି ମସୁଧା । ମାତ୍ର ଚାରିବର୍ଷ ଚାକିରି କରିଥିବା କର୍ମଚାରୀଟିଏ ଉପବିଭାଗ ଅଧିକାରୀ ପରି ଏକ ଦାୟିତ୍ୱସମ୍ପନ୍ନ ପଦବୀର କାର୍ଯ୍ୟ ତୁଲାଇବା ସହଜସାଧ୍ୟ ନୁହେଁ । ତେବେ ଏମାନଙ୍କୁ କେଉଁ ଆଧାରରେ ସେକ୍ସନ ଅଫିସର କରିବାପାଇଁ କିଏ ନିଷ୍ପତ୍ତି ନେଲା ଓ ଏଥିପାଇଁ କି ପ୍ରକାର ତର୍ଜମା ହେଲା ସେଥିନେଇ ଆଲୋଚନା ଜୋର ଧରିଛିି ।କିଛି ଅବସରପ୍ରାପ୍ତ ସଚିବାଳୟ କର୍ମଚାରୀ ଓ ପୂର୍ବର କର୍ମଚାରୀନେତାଙ୍କ କହିବାକଥା ଯେ ଲୋକସେବାଭନରେ ଆଇନ୍‌ ତିଆରି ହୁଏ, ଏହାର ତର୍ଜମା ମଧ୍ୟ ହୁଏ । ସବୁ ବିଭାଗର ମାଳ ମାଳ ଯୋଜନା ବି ଏହିଠାରେ ପ୍ରସ୍ତୁତ ହେଉଛି । ରାଜ୍ୟ ବଜେଟ୍‌ର ଖସଡା ତିଆରି ହୁଏ । ଏଥିପାଇଁ ଏକ ଲମ୍ବା ଅଭିଜ୍ଞତା ଲୋଡା ।

ଦୀର୍ଘବର୍ଷ ଧରି କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନେ ହିଁ ଅଭିଜ୍ଞତା ଆଧାରରେ ଆଇନ୍‌ ଠାରୁ ଆରମ୍ଭ କରି ଯୋଜନା ପ୍ରସ୍ତୁତ କରିଥାନ୍ତି । ଦୀର୍ଘଦିନର ଅଭିଜ୍ଞତା ପରେ ସେମାନଙ୍କୁ ଉପବିଭାଗ ଦାୟିତ୍ୱ ମିଳିଥାଏ । ହେଲେ ବର୍ତ୍ତମାନ ଗୃହ ବିଭାଗର କିଛି ଅଧିକାରୀ ଏଥିରେ ବ୍ୟତିକ୍ରମ ପାଇଁ ମସୁଧା ଚଳାଇଛନ୍ତି । ସେମାନେ ନିଜ ପସନ୍ଦର କିଛି କନିଷ୍ଠ ଅଧିକାରୀ, ଯେଉଁମାନେ କି ମାତ୍ର ୪ବର୍ଷ ହେଲା ଲୋକସେବାଭବନରେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ହାତରେ ଏହି ଗୁରୁତ୍ୱ ଦାୟିତ୍ୱ ଦେବାପାଇଁ ଯୋଜନା କରୁଛନ୍ତି ।ତେବେ ସବୁଠାରୁ ବଡ କଥା ହେଲା ଚାରିବର୍ଷ ତଳେ ଏଏସ୍‌ଓ ଭାବେ ଯୋଗ ଦେଇଥିବା ଏହି ଯୁବ କର୍ମଚାରୀମାନେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ପ୍ରଶାସନର ସମସ୍ତ କାର୍ଯ୍ୟଧାରା ସହିତ ଅବଗତ ହୋଇନାହାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କର ବହୁ ସମୟ ମୋବାଇଲ୍‌ରେ କଟୁଛି । ବରିଷ୍ଠଙ୍କ ଠାରୁ କାମ ଶିଖିବାର ଆଗ୍ରହ ନାହିଁ । ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଳ୍ପ ପାରିଶ୍ରମିକରେ ନିଯୁକ୍ତ ଅବସରପ୍ରାପ୍ତ ଠିକା କର୍ମଚାରୀଙ୍କ ହାତରେ କରାଯାଉଛି । ତେଣୁ ଏମାନେ ଏବେ ଅଭିଜ୍ଞତା ଠାରୁ ବହୁ ଦୂରରେ ରହିଛନ୍ତି ।ଏପରି ଅସଙ୍ଗତ ପଦୋନ୍ନତି ପଛରେ କିଛି ବଡ ଅଧିକାରୀଙ୍କର ହାତ ଥିବା ଚର୍ଚ୍ଚା ହେଉଛି ।

ଏମାନେ ଚକ୍ରାନ୍ତ କରି ସଚିବାଳୟ କାର୍ଯ୍ୟର ମାନରେ ହ୍ରାସ ଘଟାଇ ସଚିବାଳୟ ସେବା ବର୍ଗର ନିପୂଣତା ଓ ଗରିମା ଉପରେ ପ୍ରଶ୍ନଚିହ୍ନ ଲଗାଇବାର ମସୁଧା କରିଛନ୍ତି । ସବୁଦିନ ପାଇଁ ସଚିବାଳୟ ସେବା ବର୍ଗକୁ ଲୋକସେବାଭବନରୁ ହଟାଇ ଅନ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ପୂର୍ଣ୍ଣ ମାତ୍ରାରେ ଏଠାରେ ନିୟୋଜିତ ପାଇଁ ମସୁଧା ଚାଲିଛି ।  ତେଣୁ ଗୃହ ବିଭାଗ ଏଭଳି ଯୋଜନାରୁ ବିରତ ରହିବା ସହିତ ବରିଷ୍ଠତା ଓ ଅଭିଜ୍ଞତାକୁ ପ୍ରାଥମିକତା ଭାବେ ବିଚାରକୁ ନେବା ସହିତ ପ୍ରସ୍ତାବିତ ପଦୋନ୍ନତିର ପୁର୍ନବିଚାର ପାଇଁ ମତପ୍ରକାଶ ପାଉଛି ।