Odia News Portal

ମରୁଡି ମୁହାଁ ରାଜ୍ୟ

ଅବସ୍ଥା ସାଂଘାତିକ ହେଲାଣି । ବର୍ଷା ଗାଏବ । ବର୍ଷା ଅଭାବ ସ୍ଥିତି ଏତେ ଘନେଇଲାଣି ଯେ ମରୁଡ଼ି ମୁହାଁ ହେଲାଣି ରାଜ୍ୟ । ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁନି । ତଳି ପୋଡ଼ି ଗଲାଣି । ରୁଆ, ବେଉଷଣ ହୋଇପାରୁନି । ବିଶେଷଜ୍ଞଙ୍କ କହିବା କଥା ହେଲା, ବହୁ ବିଳମ୍ବ ହୋଇଗଲାଣି । ବର୍ଷା ହେଲେ ବି ଆଗକୁ ଚାଷ ଅବସ୍ଥା ବିଶେଷ ସୁଧୁରିବା ଆଶା କମ୍‌ ।

ପାଣିପାଗ ବିଭାଗ କହିଛି, ଆଗାମୀ ୫ରୁ ୬ ଦିନ ଯାଏଁ ରାଜ୍ୟରେ ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହିବ । କେତେକ ଜାଗାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ଷା ଅଭାବରୁ ଚାଷ କାମ ପଛେଇଛି । ଆସନ୍ତା ୨୦ ତାରିଖ ଯାଏ ବିଶେଷ ବର୍ଷା ନାହିଁ । ବର୍ଷା ହେଲେ ଚାଷ ଅବସ୍ଥା ସମ୍ପୂର୍ଣ୍ଣ ସୁଧୁରିବା ଆଶା କମ୍‌ । କାରଣ, ବହୁ ବିଳମ୍ବ ହୋଇସାରିଛି । ଚାଷୀ ହାତରୁ ଧାନ ଚାଷ ସମୟ ଖସି ଖସି ଯାଉଛି । ଏବେ ଅନେକ ଜିଲ୍ଲାରେ ବର୍ଷା ଅଭାବରୁ ତଳି ପୋଡ଼ିଗଲାଣି । ବର୍ତ୍ତମାନ ବିଲ କାଦୁଆ ନଥିବାରୁ ରୁଆ କାମ ହୋଇପାରୁନି । ବର୍ଷା ହେଲେ ବି ଚାଷ କାମ ଆଗେଇବାକୁ ହାତରେ ସମୟ କମ୍‌ ।

ଜୁନ୍‌ ପହିଲାରୁ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ଥିଲା । ଅଗଷ୍ଟ ସ୍ଥିତି ଆହୁରି ବିଗିଡ଼ିଯାଇଛି । ଅଗଷ୍ଟ ପହିଲାରୁ ୯ ତାରିଖ ସୁଦ୍ଧା ଯେତିକି ବର୍ଷା ହେବା କଥା, ତା’ଠାରୁ ୭୫% କମ୍‌ ବର୍ଷା ରହିଛି । ହେବା କଥା ୧୧୫.୪ ମିଲିମିଟର ବର୍ଷା, ହୋଇଛି ମାତ୍ର ୨୮.୫ ମିମି । ୨୭ଟି ଜିଲ୍ଲାରେ ବର୍ଷା ପରିମାଣ ୬୦%ରୁ ଅଧିକ ନିଅଣ୍ଟିଆ ରହିଛି । ଏଥିରୁ ୧୮ଟି ଜିଲ୍ଲାରେ ବର୍ଷା ପରିମାଣ ୮୦%ରୁ ଅଧିକ ନିଅଣ୍ଟିଆ ଅଛି ।

ଅଗଷ୍ଟ ପହିଲାରୁ ଆଜି ସୁଦ୍ଧା ଝାରସୁଗୁଡ଼ାରେ ମାତ୍ର ୬ ମିଲିମିଟର ବର୍ଷା ହୋଇଛି । ୯୫% ବର୍ଷା ନିଅଣ୍ଟିଆ ସ୍ଥିତି ଝାରସୁଗୁଡ଼ାରେ । ଅନୁଗୁଳରେ ବି ସମାନ ଅବସ୍ଥା । ବୌଦ୍ଧରେ ୯୨%, ସୋନପୁରରେ ୯୦%, ଗଜପତିରେ ୯୦%, ବରଗଡ଼ରେ ୮୮%, କନ୍ଧମାଳରେ ୮୮%, ସମ୍ବଲପୁରରେ ୮୮%, ନୂଆପଡ଼ାରେ ୮୭%, ଦେବଗଡ଼ରେ ୮୭%, କେନ୍ଦୁଝରରେ ୮୬%, ଯାଜପୁରରେ ୮୫%, ପୁରୀରେ ୮୫%, ଖୋର୍ଦ୍ଧାରେ ୮୩%, ବଲାଙ୍ଗିରରେ ୮୧%, ସୁନ୍ଦରଗଡ଼ରେ ୮୧%, କେନ୍ଦ୍ରାପଡ଼ାରେ ୮୧% ଓ ଢେଙ୍କାନାଳରେ ୮୦% ବର୍ଷା ନିଅଣ୍ଟିଆ ଅଛି । ଏହାବାଦ୍‌

କଳାହାଣ୍ଡିରେ ୭୯%, ଭଦ୍ରକରେ ୭୬%, କଟକରେ ୭୨%,ନୟାଗଡ଼ରେ ୭୧%, ମୟୂରଭଞ୍ଜରେ ୭୧%, ଜଗତସିଂହପୁରରେ ୬୫%, ଗଞ୍ଜାମରେ ୬୭%, ରାୟଗଡ଼ାରେ ୬୪% ଓ ନବରଙ୍ଗପୁରରେ ୬୧% ବର୍ଷା ଅଭାବ ରହିଛି ।

ତେବେ ଜୁନ୍‌ ପହିଲାରୁ ଏଯାବତ ରାଜ୍ୟରେ ୨୮% ବର୍ଷା ଅଭାବ ଥିବାବେଳେ ୨୦ ଜିଲ୍ଲାରେ ବର୍ଷା ସଙ୍କଟ ଜାରି ରହିଛି । ଯାଜପୁରରେ ସର୍ବାଧିକ ୫୭% ବର୍ଷା ଅଭାବ ଥିବାବେଳେ ଭଦ୍ରକରେ ୫୦%, ଗଜପତିରେ ୪୬%, ବଲାଙ୍ଗିରରେ ୪୧%, କେନ୍ଦୁଝରରେ ୩୯%, ଝାରସୁଗୁଡ଼ାରେ ୩୯%, ନବରଙ୍ଗପୁରରେ ୩୮%, କଳାହାଣ୍ଡିରେ ୩୭% ବର୍ଷା କମ୍‌ ରହିଛି । ଏହାବାଦ୍‌ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବରଗଡ଼, ସୋନପୁର, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ାରେ ବର୍ଷା ସଙ୍କଟ ରହିଛି । କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଟକ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି ଓ କୋରାପୁଟରେ ଏଯାଏ ସ୍ଥିତି ସ୍ୱାଭାବିକ ଅଛି । ହେଲେ ଆଉ କିଛି ଦିନ ବର୍ଷା ନ ହେଲେ ଏସବୁ ଜିଲ୍ଲା ବର୍ଷା ଅଭାବୀ ତାଲିକାରେ ଯୋଡ଼ି ହୋଇଯିବ ।