ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଫୁଲନଖରା ଡେପୁଟି ରେଞ୍ଜର ମୌସୁମୀ ବେହେରା। ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କାର ସମ୍ପୂର୍ଣ୍ଣ ରାଶି ଜବତ କରାଯାଇଛି। ସୂଚନା ଅନୁଯାଇ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ଅଧୀନ ଫୁଲନଖରା ରେଞ୍ଜର ତିନୋଟି ପ୍ଲାଣ୍ଟେସନ ସାଇଟରେ ୨୦୨୬ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ଜଗୁଆଳି ନିଯୁକ୍ତି, ପାଣି ଦେବା ଓ ସାର ପ୍ରୟୋଗ ଆଦି କାର୍ଯ୍ୟର ବିଲ୍ ମଞ୍ଜୁର କରିବା ପାଇଁ ଡେପୁଟି ରେଞ୍ଜର ଜଣେ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏପରିକି ଟଙ୍କା ନଦେଲେ ଆଗାମୀ ମାସର ବିଲ୍ ମଞ୍ଜୁର କରାଯିବ ନାହିଁ ବୋଲି ସେ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲା। ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଦନ୍ତ ଦୃଷ୍ଟିରୁ ଡେପୁଟି ରେଞ୍ଜରଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
