Odia News Portal

ଆଜି ଆନ୍ନାଙ୍କ ଅନଶନ, ଟାର୍ଗେଟରେ କେନ୍ଦ୍ର ସରକାର

ମୁମ୍ବାଇ, ସାମାଜିକ କାର୍ୟ୍ୟରକର୍ତ୍ତା ଆନ୍ନା ହଜାରେ ପୁଣି ଥରେ ଆନ୍ଦୋଳନ କରିବାକୁ ଯାଉଛନ୍ତି। ବୁଧବାର  ସକାଳ ୧୦ଟାରେ  ମହାରାଷ୍ଟ୍ରର ନିଜ ଗାଁ ରାଲେଗାଓଁସିଦ୍ଦିରେ ଅନଶନରେ ବସିବେ। ଏହା ପୂର୍ବରୁ ମଙ୍ଗଳବାର ସେ ସରକାରଙ୍କ ଉପରେ  ନିଶାଣ କରି କହିଛନ୍ତି ଯେ, ଲୋକପାଳ କାନୁନ ହେବାର ୫ ବର୍ଷ ବିତିଗଲାଣି ଏବଂ  ନରେନ୍ଦ୍ର ମୋଦୀ ସରକାର ପାଞ୍ଚ ବର୍ଷରେ  ବାରମ୍ବାର ବାହାନା ଦେଖାଇ ଆସିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାରଙ୍କ ହୃଦୟରେ ଯଦି ଲୋକପାଳ କାନୁନ ଥାନ୍ତା ତେବେ କଣ ଏହାକୁ ୫ ବର୍ଷ ଧରି ପକାଇ ଥାନ୍ତେ ?

ସମାଚାର ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ଆନ୍ନା ସ୍ପଷ୍ଟ କହିଛନ୍ତି ଯେ, ମୋର ଏହି ଅନଶନ କୌଣସି ବ୍ୟକ୍ତି,  ପକ୍ଷ, ପାର୍ଟି ବିରୁଦ୍ଧରେ ନୁହେଁ। ସମାଜ ଓ ଦେଶର ଉନ୍ନତି ପାଇଁ ବାରମ୍ବାର ଆନ୍ଦୋଳନ କରି ଆସିଛି ଏବଂ ଠିକ୍ ସେହି ଭଳି ଏହି ଆନ୍ଦୋଳନ। ଏଠାରେ କହି ରଖୁଛୁ ଯେ ୨୦୧୧-୧୨ରେ ଆନ୍ନା ହଜାରେଙ୍କ ନେତୃତ୍ଵରେ ଦିଲ୍ଲୀର ରାମଲୀଲା ମଇଦାନରେ ତତ୍କାଳୀନ ୟୁପିଏ ସରକାରଙ୍କ ବିରୋଧରେ ବହୁତ ବଡ଼ ଆନ୍ଦୋଳନ ହୋଇଥିଲା।

ଏହି ଆନ୍ଦୋଳନରେ ସାମିଲ  ଅନେକ ଚେହେରା ଏବେ ରାଜନୀତିକୁ ଆସି ସାରିଛନ୍ତି ମାତ୍ର ଆନ୍ନା ପୁଣି ଥରେ ଅନଶନରେ ବସିବାକୁ ଯାଉଛନ୍ତି। ମାତ୍ର ଏଥର ଆନ୍ଦୋଳନର କେନ୍ଦ୍ର ଦିଲ୍ଲୀ ନହୋଇ ନିଜର ଗାଁ ରାଲେଗାଓଁସିଦ୍ଧି ରହିଛି।