କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନ ସମୟରେ ବିଜେପି ନିଜ ଇସ୍ତାହାରରେ କୋଟିଆ ସମସ୍ୟାର ସମାଧାନ ନେଇ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ନବୀନ ଏହି ଚିଠି ଲେଖିଛନ୍ତି। ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କୋଟିଆ ବିବାଦର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ନବୀନ ତାଙ୍କ ଚିଠିରେ କୋଟିଆ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ଓ ରାଜ୍ୟର ଅଖଣ୍ଡତା ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ତୁରନ୍ତ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି।ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏବେ ଏନ୍ଡିଏ ସରକାର ରହିଛି। ତେଣୁ ଏହି ସମୟରେ ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଟିଆ ସମସ୍ୟାର ସମାଧାନ କରିବା ସମ୍ଭବ। ଓଡ଼ିଶାର ଅଖଣ୍ଡତା ଓ ସୀମା ସୁରକ୍ଷା ପାଇଁ ରାଜ୍ୟ ସରକାର ଆଉ ବିଳମ୍ବ ନକରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସହ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳରେ ଜବରଦସ୍ତ ନିର୍ବାଚନ କରୁଥିବା ନେଇ ମଧ୍ୟ ନବୀନ ଉଦ୍ବେଗ ପ୍ରକାଶ କରିଛନ୍ତି।କୋଟିଆ ପ୍ରସଙ୍ଗକୁ ନେଇ ନବୀନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
