Odia News Portal

ଆଜି ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କା ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ପର୍ଯ୍ୟନ୍ତ ଲାଗିବ ନାଇଟ୍ କର୍ଫ୍ୟୁ । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା | ତେବେ ନାଇଟ୍ କର୍ଫ୍ୟୁ ସମୟରେ ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ | ରାଜ୍ୟରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ନଜରରେ ରହିବ |

ବିଶେଷକରି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି କମିଶନରେଟ ପୁଲିସ । ଟ୍ୱିନ୍ ସିଟିରେ ଥିବା ସମସ୍ତ ଥାନା ଗୁଡିକୁ ଏଥିପାଇଁ ଆଲର୍ଟ ରହିବା ପାଇଁ ପୁଲିସ କମିଶନର ନିର୍ଦେଶ ଦେଇଛନ୍ତି । ମଦୁଆ ଗାଡ଼ି ଚାଳକ ଓ ଅମାନିଆଙ୍କୁୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ । ପାଟ୍ରୋଲିଂ ଦାୟିତ୍ୱରେ ଆଇଆଇସି, ଏସିପି, ଆଡିସନାଲ ଡିସିପି, ଡିସିପି ରହିବେ ।

ରାଜଧାନୀରେ କରୋନା କଟକଣା ଅନୁଯାୟୀ,ଅମାନିଆଙ୍କୁ ସାବାଡ଼ ପାଇଁ ଭୁବନେଶ୍ୱରରେ ପାଖାପାଖି ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହୋଟେଲ ଏବଂ କ୍ଲବ ଗୁଡିକରେ ସରପ୍ରାଇଜ୍ ଚେକିଂ କରାଯିବ । ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡାକଡି କରାଯାଇଛି । କଟକରେ ୩୧ ତାରିଖ ଏବଂ ୧ ତାରିଖରେ ୨୫ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ |୪୦ ଅଫିସର ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ| ସେହିପରି ରାସ୍ତା ଉପରେ ଲୋକେ କିପରି ଏକାଠି ନ ହେବେ ତା ଉପରେ ନଜର ରଖିବେ ଥାନା ଅଧିକାରୀ | ତେବେ କଟକଣାକୁ ଦୃଷ୍ଟିରେ ରଖି ଗଳିକନ୍ଦିରେ ମୁତୟନ ହେବ ପିସିଆର ଭ୍ୟାନ |

ସେହିଭଳି ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବର୍ତର ରହିବ । ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର ।