Odia News Portal

ବିହାର ସଙ୍କଟ: ମହାମେଣ୍ଟ ସହ ସରକାର ଗଢ଼ିବାକୁ ସକ୍ଷମ ହେବେ କି ନୀତୀଶ

ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି । ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରି ନୀତୀଶ କୁମାର ପୁରୁଣା ସହଯୋଗୀ ଆରଜେଡି ଓ କଂଗ୍ରେସ ସହ ପୁଣି ମହାମେଣ୍ଟ ଗଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଆଜି ପଦରୁ ଇସ୍ତଫା ଦେଇପାରନ୍ତି। ଅପରାହ୍ନ ୪ଟାରେ ନୀତୀଶ ବିହାର ରାଜ୍ୟପାଳଙ୍କୁ ଭେଟିବେ । ଆରଜେଡି ଓ କଂଗ୍ରେସ ସମର୍ଥନରେ ନୂଆ ସରକାର ଗଠନ ପାଇଁ ସେ ଦାବି ଉପସ୍ଥାପନ କରିପାରନ୍ତି । ବିଜେପିର ହାତ ଛାଡ଼ିଲା ପରେ ନୂଆ ସରକାର ଗଢ଼ିବା ପାଇଁ ନୀତୀଶଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଅଛି କି? ଏହା ଏବେ ବଡ଼ ପ୍ରଶ୍ନ। ତେବେ ସଂଖ୍ୟା ଗଣିତ ନୀତୀଶ କୁମାରଙ୍କ ସପକ୍ଷରେ ଥିବା ସ୍ପଷ୍ଟ ଜଣାପଡ଼ୁଛି।

ବିହାର ବିଧାନସଭାର ୨୪୩ଟି ସିଟ୍ ମଧ୍ୟରୁ ନୀତୀଶଙ୍କ ଦଳ ଜେଡିୟୁର ୪୫ ବିଧାୟକ ଥିବାବେଳେ ବିଜେପିର ପାଖରେ ଅଛି ୭୭ ଆସନ । ଜେଡିୟୁ କମ୍ ଆସନ ଜିତିବା ସତ୍ତ୍ୱେ ନୀତୀଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା। ଅନ୍ୟପକ୍ଷରେ ସର୍ବବୃହତ ଦଳ ଭାବେ ଆରଜେଡି ପାଖରେ ୭୯ ବିଧାୟକ ରହିଛନ୍ତି | ନିକଟରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆରଜେଡିର ମୋକାମାର ବିଧାୟକ ଅନନ୍ତ ସିଂ ନିଜ ବିଧାନସଭା ଆସନ ହରାଇଥିଲେ। ଏପରି ସ୍ଥଳେ ଆରଜେଡି ଆସନ ସଂଖ୍ୟା ୭୮କୁ ହ୍ରାସ ପାଇଛି । କଂଗ୍ରେସ ପୂର୍ବରୁ ଜେଡିୟୁକୁ ସମର୍ଥନ ଘୋଷଣା କରିସାରିଛି । ବାମଦଳର ୧୬ ଜଣ ବିଧାୟକ ରହିଥିବା ବେଳେ ବିଜେପି-ଜେଡିୟୁ ମେଣ୍ଟ ସରକାରର ଅନ୍ୟତମ ସହଯୋଗୀ ଥିବା ହମ୍ ଦଳର ୪ ଜଣ ବିଧାୟକ ଅଛନ୍ତି | ହମ୍ ଦଳ ମଧ୍ୟ ନୀତିଶଙ୍କୁ ସମର୍ଥନ ଘୋଷଣା କରିଛି । ଏହାଛଡ଼ା ଏଆଇଏମ୍ଆଇଏମର ଜଣେ ଏବଂ ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନୀତୀଶଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି ।

ବିହାରରେ କୌଣସି ଦଳ କିମ୍ବା ମେଣ୍ଟକୁ ସରକାର ଗଢ଼ିବାକୁ ହେଲେ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେବେ ସଂଖ୍ୟା ଗଣିତକୁ ଦେଖିଲେ ନୀତିଶଙ୍କ ପାଖରେ ୧୬୫ ବିଧାୟକଙ୍କ ସମର୍ଥନ ରହିଛି । ଏପରି ସ୍ଥଳେ ବିହାରରେ ମହାମେଣ୍ଟର ସରକାର ଗଠନ ପଥ ପରିଷ୍କାର ଦେଖାଯାଉଛି।