Odia News Portal

ଆଉ ହେବନି ପ୍ଲାଜମା ଥେରାପି

ଭୁବନେଶ୍ୱର : ଗତବର୍ଷ ବହୁଳ ଭାବେ ‘ପ୍ଲାଜମା ଥେରାପି ’କାର୍ଯ୍ୟକାରୀ ହୋଇଥିବା ବେଳେ ଏଣିକି ଆଉ ଏହି ଥେରାପିରେ ଚିକିତ୍ସା କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ମଧ୍ୟ ରାଜ୍ୟରେ ଆଉ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ନାହିଁ ବୋଲି ସୂଚନା ଦେଇଥିଲେ। ଏବେ ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ହାର କମିବାରେ ଲାଗିଛି। ଓଡ଼ିଶାରେ ସଂକ୍ରମଣ ହାର ମେ’ ୧୩ତାରିଖରେ ସର୍ବାଧିକ ଥିଲା ଓ ତା’ପରଠୁ ଏହା କମିବାରେ ଲାଗିଛି। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ କୋଭିଡ୍ ଟେଷ୍ଟ ପରିମାଣକୁ ଦୈନିକ ୭୦ହଜାରକୁ ବୃଦ୍ଧି କରାଯିବ। ଗତ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମିତ ହାର ୨୧ ପ୍ରତିଶତ ଥିବାବେଳେ ଏହା ୧୮ ପ୍ରତିଶତକୁ ହ୍ରାସ ପାଇଛି। ଏବେ ମୃତ୍ୟୁହାର ୦.୪୦ରୁ ୦.୩୭%କୁ କମିଛି । ଗତ ୧୫ଦିନର ମୃତ୍ୟୁହାରକୁ ଦେଖିଲେ ଓଡ଼ିଶାରେ ମୃତ୍ୟୁହାର ସର୍ବନିମ୍ନ ୦.୧୬% ରହିଛି । ରାଜ୍ୟରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି ଓ ଏବେ ଆଉ ୩୬୮ଟି ବେଡ୍ ବୃଦ୍ଧି କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ।