Odia News Portal

ପଞ୍ଚମ ଦିନ ଗୃହ ଅଚଳ,ଦିନ ୧୨ଟା ଯାଏଁ ମୁଲତବି

ଭୁବନେଶ୍ୱର: ଲଗାତର ପଞ୍ଚମ ଦିନ ବି ଚାଲିପାରିଲାନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଲେ ବାଚସ୍ପତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ନାରାବାଜି କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲଗାତାର ୫ ଦିନ ପାଇଁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି ।

ଗୋଟିଏ ପଟେ ଗୃହକାର୍ଯ୍ୟ ଦିନ ୧୨ଟା ଯାଏଁ ମୁଲତବି ହୋଇଥିବା ବେଳେ ଅନ୍ୟପଟେ ବିଜେଡି ବିଧାୟକ ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ମାର୍ଚ୍ଚ କରିଛନ୍ତି । ରାଜରାସ୍ତାରେ ବିଜେଡି ଦଳର ବିଧାୟକ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଶାସକ ଦଳ ବିଧାୟକ । ବିଧାନସଭାରୁ ବିଜେଡି ବିଧାୟକମାନେ ବାହାରି ରାଜଭବନ ଅଭିମୁଖେ ଯାଉଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇବେ । ଚାଷୀଙ୍କ ବାବଦରେ ଆଲୋଚନା କରିବାକୁ ସରକାର ରାଜି ଅଛନ୍ତି କିନ୍ତୁ ବିଜେପି ସଦସ୍ୟ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୩୦ ଯାଏଁ ଧାନ କିଣାଯିବ ବୋଲି କୁହାଯାଇଛି, ଏପରିକି ସରକାର ଧାର୍ଯ୍ୟ ନିଷ୍ପତି ଠାରୁ ଅଧିକ ଧାନ ଉଠାଇ ସାରିଲେଣି କିନ୍ତୁ ଏହାସତ୍ତେ୍ୱ ମଧ୍ୟ ବିରୋଧୀ ବିଜେପିର ଏଭଳି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜେଡି ।

ସୂଚନା ଅନୁଯାୟୀ, ଗତକାଲି ସର୍ବଦଳୀୟ ବୈଠକ ବି ବିଫଳ ହୋଇଥିଲା । ବିରୋଧୀ ଦଳ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ଅଡ଼ି ବସିଥିବା ବେଳେ ସରକାରୀ ଦଳ ଏଥିରେ ରାଜି ନୁହନ୍ତି । ଯେଉଁଥି ପାଇଁ କୌଣସି ନିଷ୍କର୍ଷ ବହିରିପାରିଲା ନାହିଁ । ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ମତ୍ସ୍ୟ ପଶୁସମ୍ପଦ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ହେବ। ଏହା ସହିତ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।